February 26, 2026 1:25 am

ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କାଙ୍କ ପରଲୋକ, ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ସକାଳ ୯ଟା ୪୫ ମିନିଟ୍ ସମୟରେ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଇହଲୀଳା ସମ୍ବରଣ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା କାହ୍ନୁ ଚରଣ ଲେଙ୍କା । ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା । ପୂର୍ବତନ ବରିଷ୍ଠ କଂଗ୍ରେସ ନେତା କାହ୍ନୁଚରଣ ଲେଙ୍କା ୧୯୯୫ ରୁ ୨୦୦୦ ମସିହା ଯାଏଁ କଟକ ଜିଲ୍ଲା ଚୌଦ୍ଵାର ଆସନରୁ ବିଧାୟକ ଥିଲେ । ପରେ ଓଡ଼ିଶା ସରକାରଙ୍କ ଶିଳ୍ପ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୧୯୮୮ ମସିହାରେ ସେ ରାଜ୍ୟସଭାକୁ ଯାଇଥିଲେ । ୧୯୮୮-୯୪ ମସିହା ଯାଏଁ ସେ ରାଜ୍ୟସଭା ସାଂସଦ ଥିଲେ । ପି. ଭି. ନରସିଂହ ରାଓଙ୍କ ସରକାରରେ ରେଳ ଓ କୃଷି ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱ ତୁଲାଇଥିଲେ । ସେ କଂଗ୍ରେସର ଜଣେ ଆଜୀବନ ସଦସ୍ୟ ଥିଲେ । ଦୀର୍ଘ ୫୫ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ସେ କଂଗ୍ରେସ ସହିତ ଜଡ଼ିତ ଥିଲେ । ସେ ରାଜ୍ୟ କଂଗ୍ରେସ ସଭାପତି ହୋଇଥିଲେ । ତାଙ୍କ ଦେହାନ୍ତରେ ଓଡ଼ିଶା ରାଜନୀତିରେ ଏକ ଯୁଗର ଅନ୍ତ ହୋଇଛି । କାହ୍ନୁ ଚରଣଙ୍କ ଦେହାନ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ବ୍ୟକ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ଯେ ବରିଷ୍ଠ ନେତା, ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ପୂର୍ବତନ ସାଂସଦ କାହ୍ନୁ ଚରଣ ଲେଙ୍କାଙ୍କ ଦେହାନ୍ତ ବିଷୟରେ ଶୁଣି ଅତ୍ୟନ୍ତ ଦୁଃଖିତ। ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ପ୍ରତି ସମବେଦନା ଜଣାଇବା ସହିତ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି ମୁଖ୍ୟମନ୍ତ୍ରୀ ।