February 27, 2026 11:08 am

ଯୋରନ୍ଦା ମହିମା ମନ୍ଦିରରେ ହେବ ନୂଆ ସୁଉଚ୍ଚ ଭବ୍ୟ ମନ୍ଦିର

ଭୁବନେଶ୍ୱର: ଲୋକସେବା ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ବୈଠକରେ ମହିମା ମନ୍ଦିରର ଉନ୍ନତିକରଣ ନେଇ ଆଲୋଚନା ହୋଇଛି। ନୂଆ ପ୍ଲାନ ଅନୁଯାୟୀ, ମହିମା ମନ୍ଦିର ବା ଶୂନ୍ୟ ମନ୍ଦିର ଭିତରେ ଥାଇ ଏହାକୁ ଆବୃତ୍ତ କରି ତା’ଉପରେ ଏକ ସୁଉଚ୍ଚ ତଥା ଭବ୍ୟ ମନ୍ଦିର ନିର୍ମାଣ ହେବ। ଏଥିସହିତ ମନ୍ଦିର ପରିସରରେ ଥିବା ଅଖଣ୍ଡ ଜ୍ୟୋତି ମନ୍ଦିର, ଭଜନ ମଣ୍ଡପ, ପ୍ରାର୍ଥନା ଗୃହ ଏବଂ ପୁଷ୍କରିଣୀ ସହ ପାରିପାର୍ଶ୍ଵିକ ଉନ୍ନତିକରଣ ହେବ। ରୋଷଘର, ଯାତ୍ରୀ ନିବାସ, ପାର୍କିଂ ବ୍ୟବସ୍ଥା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ମହିମା ପୀଠର ସର୍ବାଙ୍ଗୀନ ବିକାଶ ନେଇ ମୁଖ୍ୟମନ୍ତ୍ରୀଙ୍କ ଯେପରି ନିର୍ଦ୍ଦେଶ ରହିଛି ତାହାର ସଠିକ୍ ଅନୁପାଳନ ସହ ସମସ୍ତ ସାଧୁ, ମହିମା ଧର୍ମାବଲମ୍ବୀମାନଙ୍କ ସହ ଆଲୋଚନା କରି ଏହି ଉନ୍ନୟନ ପ୍ରକଳ୍ପର ନକ୍ସା ପ୍ରସ୍ତୁତ ହୋଇଛି। ୩ ବର୍ଷ ମଧ୍ୟରେ ନିର୍ମାଣ ହେବାକୁ ଥିବା ଏହି ପ୍ରକଳ୍ପ ରାଜ୍ୟ ପର୍ଯ୍ୟଟନକୁ ଏକ ନୂତନ ଦିଗ ପ୍ରଦାନ କରିବ ବୋଲି ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂହ ମୁଖ୍ୟ ଶାସନ ସଚିବଙ୍କୁ ସୂଚନା ଦେଇଥିଲେ।