ନୂଆଦିଲ୍ଲୀ: ଇରାନରେ ଲାଗି ରହିଥିବା ଉତ୍ତେଜନା ପରିସ୍ଥିତିକୁ ଦେଖି ତେହରାନ ସ୍ଥିତ ଭାରତୀୟ ଦୂତାବାସ ପକ୍ଷରୁ ଭାରତୀୟ ନାଗରିକଙ୍କୁ ତୁରନ୍ତ ଇରାନ ଛାଡ଼ିବାକୁ ନିର୍ଦ୍ଦେଶ ଜାରି ହୋଇଛି । ସେଠାରେ ରହୁଥିବା ସମସ୍ତ ଛାତ୍ର, ତୀର୍ଥଯାତ୍ରୀ, ବ୍ୟବସାୟୀ ଏବଂ ପର୍ଯ୍ୟଟକଙ୍କ ପାଇଁ ଏହା ଜାରି ହୋଇଛି । ଦୂତାବାସ ପକ୍ଷରୁ ସୂଚିତ କରାଯାଇଛି ଯେ ଗତ ଜାନୁଆରୀ ୫ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶ ଅନୁଯାୟୀ ଇରାନରେ ଲଗାତର ଭାବେ ବଦଳୁଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟ ନାଗରିକଙ୍କୁ ବାଣିଜ୍ୟିକ ବିମାନ ହେଉ କିମ୍ବା ଅନ୍ୟ ପରିବହନ ବ୍ୟବସ୍ଥାରେ ମାଧ୍ୟମରେ ତୁରନ୍ତ ଇରାନ ଛାଡ଼ିବାକୁ ପରାମର୍ଶ ଦିଆଯାଇଛି । ଏହା ସହିତ ପ୍ରତିବାଦ କିମ୍ବା ପ୍ରଦର୍ଶନ କ୍ଷେତ୍ରକୁ ଏଡାଇବାକୁ ପରାମର୍ଶ ଦିଆଯାଇଛି । ଇରାନରେ ଭାରତୀୟ ଦୂତାବାସ ସହିତ ଯୋଗାଯୋଗରେ ରହିବା ସହ ଯେକୌଣସି ଘଟଣା ପାଇଁ ସ୍ଥାନୀୟ ଗଣମାଧ୍ୟମ ଉପରେ ନଜର ରଖିବାକୁ ମଧ୍ୟ କୁହାଯାଇଛି । ଯେକୌଣସି ପ୍ରକାରର ସହାୟତା ପାଇଁ ସେମାନଙ୍କୁ ଭାରତୀୟ ଦୂତାବାସ ସହିତ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି। ଏହା ସହିତ ଭାରତୀୟ ଦୂତାବାସର ଜରୁରୀକାଳୀନ ସହାୟତା ଯୋଗାଯୋଗ ନମ୍ବର ମଧ୍ୟ ଜାରି କରାଯାଇଛି । ସେହି ନମ୍ବରଗୁଡ଼ିକ ହେଲା- +୯୮୯୧୨୮୧୦୯୧୧୫, +୯୮୯୧୨୮୧୦୯୧୦୯,+୯୮୯୧୨୮୧୦୯୧୦୨ ଏବଂ +୯୮୯୯୩୨୧୭୯୩୫୯ ।









