February 26, 2026 12:22 pm

ଶ୍ରୀକ୍ଷେତ୍ରରେ କଂସ ମହାରାଜା; ମହାପ୍ରଭୁଙ୍କୁ କଲେ କ୍ଷମା ପ୍ରାର୍ଥନା

ପୁରୀ :ଧନୁଯାତ୍ରା ଶେଷ ହୋଇଥିଲେ ମଧ୍ୟ ଧନୁଯାତ୍ରାର ପରମ୍ପରା ସରି ନାହିଁ । କାରଣ କଂସ ମହାରାଜା ନିଜ ପାପର ପ୍ରାୟଶ୍ଚିତ କରିବା ପାଇଁ ଆସିଛନ୍ତି ଶ୍ରୀକ୍ଷେତ୍ର‌‌ । ଯାତ୍ରା ସମୟରେ ପ୍ରଭୃ ଶ୍ରୀକୃଷ୍ଣଙ୍କ ଉଦ୍ଦେଶ୍ୟରେ କଟୁ ବାକ୍ୟ ପ୍ରୟୋଗ କରିଥିବାରୁ ଏବେ କ୍ଷମା ପ୍ରାର୍ଥନା ମାଗିଛନ୍ତି ମହାପ୍ରଭୁଙ୍କ ନିକଟରେ । ଏଥିପାଇଁ କଂସ ଭୂମିକାରେ ଅଭିନୟ କରିଥିବା ସୁଶିଲ ମେହେର ପ୍ରଥମେ ପୁରୀ ଗୋବର୍ଦ୍ଧନ ପୀଠରେ ପହଞ୍ଚିଥିଲେ । ସେଠାରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ସାକ୍ଷାତ କରି କ୍ଷମା ପ୍ରାର୍ଥନା କରିଥିଲେ । ପ୍ରଭୁ ଶ୍ରୀକୃଷ୍ଣଙ୍କ ପ୍ରତି ସମସ୍ତଙ୍କର ଭକ୍ତି ଏବଂ ଭଲପାଇବା ରହିବା ଆବଶ୍ୟକ ବୋଲି ପରାମର୍ଶ ଦେଇଥିଲେ ଶଙ୍କରାଚାର୍ଯ୍ୟ । ପରେ ମହୋଦଧିରେ ସ୍ନାନ କରି ସୂର୍ଯ୍ୟପୂଜା କରିବା ପରେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଉଦେଶ୍ୟରେ ପୂଜାର୍ଚ୍ଚନା କରି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ ସୁଶିଲ ମେହେର ।ବିଶ୍ୱାସ ରହିଛି ତୀର୍ଥରାଜ ମହୋଦଧିରେ ସ୍ନାନ କଲେ ସବୁ ପାପରୁ ମୋକ୍ଷ ମିଳିଥାଏ । ଅନ୍ୟପକ୍ଷରେ ମହାପ୍ରଭୁ ଶ୍ରୀଜଗନ୍ନାଥ କୃଷ୍ଣଙ୍କର ଅବତାର ହୋଇଥିବାରୁ କଂସ ମହାରାଜ ପ୍ରତିବର୍ଷ ପୁରୀକୁ ଆସି ପ୍ରାୟଶ୍ଚିତ କରିବାର ପରଂପରା ରହିଛି । ଏଣୁ କଂସ ମହାରାଜ ପୁରୀ ଆସି ମହାପ୍ରଭୁଙ୍କ ଶରଣାପନ୍ନ ହୋଇଥିଲେ ।