February 26, 2026 12:22 pm

ଆଜିଠୁ ୨ ଘଣ୍ଟା ଓପିଡି ସେବା ବନ୍ଦ ରହିବ

ଭୁବନେଶ୍ୱର: ଆଜିଠୁ ରାଜ୍ୟରେ ବିଭିନ୍ନ ସରକାରୀ ହସ୍ପିଟାଲରେ ୨ ଘଣ୍ଟା ଲେଖାଏଁ ଓପିଡି ବନ୍ଦ ରହିବ। ଏଭଳି ଚରମ ନିଷ୍ପତ୍ତି ନେଇଛି ଓମ୍‌ସା (ଓଡ଼ିଶା ମେଡିକାଲ ସର୍ଭିସ ଆସୋସିଏସନ)। ସରକାର ଡାକ୍ତରଙ୍କ ଦାବି ଶୁଣୁନଥିବାରୁ ସେମାନେ ନିଜ ଜିଦ୍‌ରେ ଅଟଳ ରହିଛନ୍ତି। ଦୈନିକ ପୂର୍ବାହ୍ଣ ୯ଟାରୁ ୧୧ଟା ଓପିଡି ବନ୍ଦ ରହିବ l ଯାହାଫଳରେ ରୋଗୀ ସେବା ବ୍ୟାହତ ହେବ। ଅନ୍ୟପକ୍ଷରେ ଡାକ୍ତରଙ୍କ ଏହି ଚରମ ନିଷ୍ପତ୍ତିକୁ ସହମତି ଜଣାଇଛି କନିଷ୍ଠ ଡାକ୍ତର ସଂଘ।ପଦୋନ୍ନତି, ଦରମା ବୃଦ୍ଧି, କାର୍ଯ୍ୟକ୍ଷେତ୍ରରେ ସୁରକ୍ଷା ଆଦି ୧୦ ଦଫା ଦାବି ପୂରଣ ନେଇ ଓମ୍‌ସା ପ୍ରତିବାଦ କରିବା ସହିତ କଳାବ୍ୟାଜ୍ ପିନ୍ଧି ଗତ ୨୬ତାରିଖରୁ ପୂର୍ବାହ୍ନ ୧୦ରୁ ୧୧ଟା ଘଣ୍ଟାଏଁ ଲେଖାଏଁ ଓପିଡି ବନ୍ଦ ଜାରି ରଖିଛି ହେଲେ ସରକାର ଦାବି ପୂରଣ ସମ୍ପର୍କରେ କୌଣସି ନିଷ୍ପତ୍ତି ଗ୍ରହଣ କଲେ ନାହିଁ। ସେଥିପାଇଁ ବାଧ୍ୟ ହୋଇ ଓମ୍‌ସା କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ଡାକ୍ତରମାନେ ଓପିଡ଼ି ବନ୍ଦ ସମୟକୁ ୧ଘଣ୍ଟାରୁ ୨ଘଣ୍ଟାକୁ ବଢ଼ାଇବାକୁ ସ୍ଥିର କରିଛନ୍ତି।ଏନେଇ ଓମ୍‌ସା ସଭାପତି ଡା. କିଶୋର ଚନ୍ଦ୍ର ମିଶ୍ର ଏବଂ ସମ୍ପାଦକ ଡା. ସଞ୍ଜୀବ ପ୍ରଧାନ କହିଛନ୍ତି, ସରକାରଙ୍କୁ ସମସ୍ତ ବିଷୟରେ ଅବଗତ କରିଛୁ। ଓପିଡି ବନ୍ଦ ସମ୍ପର୍କରେ ଜନସାଧାରଣ ମଧ୍ୟ ଜାଣିଛନ୍ତି। ରୋଗୀଙ୍କୁ ହଇରାଣ କରିବା ଆମର ଉଦ୍ଦେଶ୍ୟ ନୁହେଁ। ଯେକୌଣସି ଅଘଟଣ ପାଇଁ ସରକାର ହିଁ ଦାୟୀ ରହିବେ। ମୁଖ୍ୟମନ୍ତ୍ରୀ ତୁରନ୍ତ ଏଦିଗରେ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ ବୋଲି ସଂଘ ପକ୍ଷରୁ କୁହାଯାଇଛି।