February 27, 2026 11:32 pm

ଆଜି ହେଉଛି ଶ୍ରୀ ଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ଯାତ୍ରା

ଭୁବନେଶ୍ୱର:ମହାପ୍ରଭୁ ଲିଙ୍ଗରାଜଙ୍କ ଚତୁର୍ଦ୍ଦଶ ଯାତ୍ରା ମଧ୍ୟରୁ ପୌଷ ପୂର୍ଣ୍ଣିମାରେ ଅନୁଷ୍ଟିତ ଅଭିଷେକ ଉତ୍ସବ ଏକ ସ୍ଵତନ୍ତ୍ର ଉତ୍ସବ ଅଟେ। ମହାପ୍ରଭୁଙ୍କ ସମ୍ବୋଧନ ଅନୁସାରେ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡର ନାୟକ, ତ୍ରିଭୁବନର ଅଧୀଶ୍ୱର, ଅଖିଳ ବ୍ରହ୍ମାଣ୍ଡର ନାୟକ, କଳିଙ୍ଗ ରାଜ୍ୟର ଇଶ୍ବର, ଏକାମ୍ର ଅଧୀଶ୍ବର ଶ୍ରୀ ଲିଙ୍ଗରାଜ ମହାପ୍ରଭୁ ଅଟନ୍ତି। ତାଙ୍କରି ସେହି ରାଜକୀୟ ସ୍ଵରୁପର ଅଭିଷେକ ନିମନ୍ତେ ଏହି ପୁଷ୍ୟାଭିଷେକ ଯାତ୍ରା। ପୌଷ ପୂର୍ଣ୍ଣିମା ଅବସରରେ ଭୋଗମଣ୍ଡପ ଶେଷହେବା ଅନ୍ତେ ବଡୁ ସେବାୟତମାନେ ବିନ୍ଦୁସାଗରକୁ ତୀର୍ଥଜଳ ଆଣିବା ନିମନ୍ତେ ଯାତ୍ରା କରନ୍ତି। ୧୦୮ କୁମ୍ଭ ଜଳ ବିନ୍ଦୁସାଗରରୁ ଆସେ । ତୀର୍ଥ ଶ୍ରେଷ୍ଠ ବିନ୍ଦୁସାଗରରୁ ତୀର୍ଥ ଜଳ ଆଣି ବେହରଣ ମଣ୍ଡପରେ ଅଧିବାସ କରାଯାଇଥାଏ। ସୂର୍ଯ୍ୟପୂଜା, ଦ୍ଵାରପାଳ ପୂଜା ପରେ ମହାସ୍ନାନ ପୂଜା ଅନୁଷ୍ଠିତ ହୋଇଥାଏ। ଏହାପରେ ଆରମ୍ଭ ହୁଏ ପୌଷାଭିଷେକ ଉତ୍ସବ। ଶତଅଷ୍ଟ ସୁବାସିତ କୁମ୍ଭ ଜଳରେ ଶ୍ରୀ ଚତୁର୍ଦ୍ଦଶ ବ୍ରହ୍ମାଣ୍ଡ ନାୟକଙ୍କୁ ଅଭିଷେକ କରାଯାଇଥାଏ। ଏହାପରେ ଦେବୀ ପାର୍ବତୀ ପୀଠାଧୀଶ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ଶ୍ରୀଛାମୁ ନିକଟକୁ ବିଜେ ହୁଅନ୍ତି । ଏହି ସମୟରେ ସୁଆର ସେବାକାରୀ ପାର୍ବତୀ ଭୁବନେଶ୍ଵରଙ୍କ ଶ୍ରୀଛାମୁରେ ଶ୍ଵେତଛତ୍ର ଧାରଣ କରନ୍ତି। ଏହି ସମୟରେ ପୂଜାପଣ୍ଡାଙ୍କ ଦ୍ଵାରା ତ୍ରିଭୁବନେଶ୍ଵରୀ ଓ ତ୍ରିଭୁବନେଶ୍ଵରଙ୍କୁ ବଲ୍ଲଭ ଭୋଗ ମଣୋହି କରାନ୍ତି । ମଣୋହି ଅନ୍ତେ ଶ୍ରୀ ପାର୍ବତୀ ପରମେଶ୍ଵରଙ୍କ ପୌଷ ବନ୍ଦାପନା ହୁଏ । ଏହା ଏକ ସ୍ଵତନ୍ତ୍ର ଆଳତି ଯାହା ନିତ୍ୟ ଆଳତି ଠାରୁ ଭିନ୍ନ ଅଟେ । ଏହାକୁ ଯମ ଆଳତି ବୋଲି କୁହାଯାଏ । ବନ୍ଦାପନା ନୀତି ବଢିବା ପରେ ବେହେରଣ ମଣ୍ଡପରେ ଶ୍ରୀ ଲିଙ୍ଗରାଜ ମହାପ୍ରଭୁଙ୍କ ପ୍ରତିନିଧିତ୍ଵରେ ଶ୍ରୀ ଚନ୍ଦ୍ରଶେଖର ଲିଙ୍ଗରାଜ ଓ ଦେବୀ ପାର୍ବତୀ ପୀଠାଧୀଶଙ୍କ ଶ୍ରୀଛାମୁରୁ ଆସି ଅଭିଷେକ ହୋଇଥାନ୍ତି । ଶ୍ରୀ ଲିଙ୍ଗରାଜ ଓ ଦେବୀ ପାର୍ବତୀ ବିବାହରେ ଯେପରି ଅଳଙ୍କାର ଆଭରଣ ପିନ୍ଧିଥିଲେ ସେହିପରି ଉମା ମହେଶ୍ଵର ପାଞ୍ଚି, ବଉଳପାଟ, କାଠି ମୁକୁଟ ପିନ୍ଧି ବିଜେ ହୁଅନ୍ତି । ଏହି ସମୟରେ ପୂଜାପଣ୍ଡାଙ୍କ ଦ୍ଵାରା ମୁଆଁ ଭୋଗ ହୁଏ । ଏଠି ମଧ୍ଯ ସମରୂପେ ପୀଠାଧୀଶଙ୍କ ଭଳି ସ୍ଵତନ୍ତ୍ର ଆଳତି ହୁଏ । ଯାହାକୁ ସୋମ ଆଳତି କୁହାଯାଏ । ଉଭୟ ଆଳତି ମିଶି ପୌଷ ବନ୍ଦାପନା ଯମସୋମ ଆଳତି ବୋଲାନ୍ତି । ଆଳତି ଉପରାନ୍ତେ ପାର୍ବତୀ ପରମେଶ୍ଵର ଦକ୍ଷିଣୀ ଘରକୁ ବାହୁଡି ଆସନ୍ତି । ଏହାପରେ ଦ୍ଵିପ୍ରହର ଧୂପ ହୋଇ ଅନ୍ୟାନ୍ୟ ନୀତିକାନ୍ତି ବଢେ । ଏହି ଅଭିଷେକ ଦର୍ଶନ କଲେ ନାନାଦି ପାତକରୁ ମୁକ୍ତି କରିଥାନ୍ତି ମହାପ୍ରଭୁ।