February 26, 2026 10:02 am

ବିଦେଶୀ ପୋର୍ଟ ଫୋଲିଓ ନିବେଶକ ମାନେ ଭାରତୀୟ ଇକ୍ୱିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା କଲେ ପ୍ରତ୍ୟାହାର

ମୁମ୍ବାଇ:ଚଳିତ ବର୍ଷ ବିଦେଶୀ ପୋର୍ଟ ଫୋଲିଓ ନିବେଶକ ମାନେ ଭାରତୀୟ ଇକ୍ୱିଟି ବଜାରରୁ ୧.୫୮ ଲକ୍ଷ କୋଟି ଟଙ୍କା ପ୍ରତ୍ୟାହାର କରିଛନ୍ତି । ଏହା ଶେୟାର ବଜାର ଇତିହାସରେ ସବୁଠାରୁ ବଡ଼ ପୁଞ୍ଜି ପ୍ରତ୍ୟାହାର । ବିଶ୍ୱ ବଜାର ସ୍ଥିତି ଏବଂ ଭାରତୀୟ ବଜାରର ଉଚ୍ଚ ଭାଲ୍ୟୁଏଶନ କାରଣରୁ ନିବେଶକ ସେମାନଙ୍କ ନିବେଶ ଅର୍ଥ ପ୍ରତ୍ୟାହାର କରୁଥିବା ବିଶେଷଜ୍ଞ କହିଛନ୍ତି । ତେବେ ୨୦୨୬ରେ ବଜାର ସ୍ଥିତି ଉନ୍ନତ ରହିବ ବୋଲି ଆଶା କରାଯାଉଛି ।ଏବର୍ଷ ମୋଟ ପୁଞ୍ଜି ପ୍ରତ୍ୟାହାର କ୍ଷେତ୍ରରେ (ଶେୟାର ବଜାର) ସେକେଣ୍ଡାରୀ ମାର୍କେଟରୁ ସିଧାସଳଖ ବିକ୍ରିର ଏକ ବଡ ଅଂଶ । ବିଦେଶୀ ନିବେଶକମାନେ ଷ୍ଟକ ଏକ୍ସଚେଞ୍ଜ ଜରିଆରେ ୨.୩୨ ଲକ୍ଷ କୋଟି ଟଙ୍କାର ଶେୟାର ବିକ୍ରି କରିଛନ୍ତି । ତେବେ ଏଭଳି ବଡ ଧରଣର ପ୍ରତ୍ୟାହାର ସତ୍ତେ୍ୱ ପ୍ରାଇମେରୀ ମାର୍କେଟ (ଆଇପିଓ ଓ ଅନ୍ୟ ନିବେଶ)ରେ ବିଦେଶୀ ନିବେଶକମାନେ ୭୩,୫୮୩ କୋଟି ଟଙ୍କାର ନିବେଶ କରିଛନ୍ତି । ଏହି ୨ ବର୍ଗକୁ ଦେଖିଲେ ନେଟ୍ ପ୍ରତ୍ୟାହାର ୧.୫୮ ଲକ୍ଷ କୋଟି ଟଙ୍କା ରହିଛି ।ବିଶ୍ୱ ବଜାରରେ ଅଭିବୃଦ୍ଧି ପ୍ରଭାବିତ ରହିବା ଯୋଗୁ ନିବେଶକ ମାନେ ପୁଞ୍ଜି ପ୍ରତ୍ୟାହାର କରୁଥିବା କୁହାଯାଉଛି । ଯୁଦ୍ଧ ଏବଂ ଟାରିଫ ଜନୀତ ପ୍ରଭାବ ଯୋଗୁ ଭାରତୀୟ ମୁଦ୍ରାର ବିନିମୟ ମୂଲ୍ୟ ଡଲାର ତୁଳନାରେ ଦୁର୍ବଳ ହୋଇଛି । କିନ୍ତୁ ୨୦୨୬ ବଜାରକୁ ସକରାତ୍ମକ ଫଳ ଦେଇପାରେ। ୨୦୨୬ରେ ଦେଶର ଜିଡିପି ଅଭିବୃଦ୍ଧି ଦୃଢ଼ ଏବଂ କମ୍ପାନି ଗୁଡ଼ିକର ଲାଭରେ ଉନ୍ନତି ଆସିବ ବୋଲି ଆଶା କରାଯାଉଛି ।