ନୂଆଦିଲ୍ଲୀ: ପ୍ରବଳ ହଟ୍ଟଗୋଳ ମଧ୍ୟରେ ଗୁରୁବାର ଲୋକସଭାରେ ପାରିତ ହୋଇଛି ବିକଶିତ ଭାରତ ଗ୍ୟାରେଣ୍ଟି ଫର ରୋଜଗାର ଆଣ୍ଡ ଆଜୀବିକା ମିଶନ (ଗ୍ରାମୀଣ) ବା ‘ଭିବି ଜି ରାମ ଜି’ ବିଲ୍ ୨୦୨୫। ଏହା ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଆଇନର (ମନେରେଗା)ର ସ୍ଥାନ ନେବାକୁ ଯାଉଥିବା ବେଳେ ବିରୋଧୀ ଦଳଗୁଡ଼ିକ ଅଭିଯୋଗ କରିଛନ୍ତି ଯେ ସରକାରଙ୍କ ଏହି ପଦକ୍ଷେପ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ଅପମାନ। ଏହା ସହିତ ଏହି ବିଲ୍ରେ ଥିବା କିଛି ନିୟମକୁ ସେମାନେ ତୀବ୍ର ସମାଲୋଚନା କରିଛନ୍ତି। ଅନ୍ୟପକ୍ଷରେ ସରକାରଙ୍କ ଏହି ପଦକ୍ଷେପକୁ ଠିକ୍ ଦର୍ଶାଇ ବିଲ୍ ଉପସ୍ଥାପନ କରିଥିବା କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ଶିବରାଜ ସିଂହ ଚୌହାନ କହିଥିଲେ, ପ୍ରାରମ୍ଭରେ କେବଳ ଏନ୍ଆରଜିଏ (ନରେଗା) ଥିଲା। ସେଥିରେ ମହାତ୍ମା ଗାନ୍ଧୀଙ୍କ ନାଁକୁ ଯୋଡ଼ା ଯାଇନଥିଲା। ୨୦୦୯ରେ ସାଧାରଣ ନିର୍ବାଚନ ପୂର୍ବରୁ କଂଗ୍ରେସ ଭୋଟ ପାଇଁ ଏନ୍ଆରଜିଏ (ନରେଗା)ରେ ମହାତ୍ମା ଗାନ୍ଧୀଙ୍କ ନାଁ ଯୋଡ଼ି ଏହାକୁ ଏମ୍ଜିଏନ୍ଆରଇଜିଏ (ମନରେଗା) କରି ଦେଇଥିଲେ। ଶ୍ରୀ ଚୌହାନ ଆହୁରି କହିଥିଲେ ଯେ କଂଗ୍ରେସ ବାପୁଙ୍କ ଆଦର୍ଶଗୁଡ଼ିକୁ ହତ୍ୟା କରିଛି। କିନ୍ତୁ ମୋଦି ସରକାର ପିଏମ୍ ଆବାସ ଯୋଜନା, ଉଜ୍ଜ୍ୱଳା ଯୋଜନା, ସ୍ୱଚ୍ଛ ଭାରତ ମିଶନ ଓ ଆୟୁଷ୍ମାନ ଭାରତ ମାଧ୍ୟମରେ ବାପୁଙ୍କ ଆଦର୍ଶକୁ ଜୀବିତ ରଖିଛନ୍ତି।









