February 26, 2026 11:11 am

‘ସବ୍‍ କା ବୀମା, ସବ୍‍ କୀ ରକ୍ଷା ୨୦୨୫’ ବିଲକୁ ସଂସଦର ଅନୁମୋଦନ

ନୂଆଦିଲ୍ଲୀ: ବୁଧବାର ଦିନ ସଂସଦରେ”ସବକା ବୀମା ସବକୀ ରକ୍ଷା”ବିଲ ୨୦୨୫ ଗୃହୀତ ହୋଇଯାଇଛି। ଏହି ବିଲକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ବହୁମତରେ ଗୃହୀତ କରାଯାଇଛି। ଦେଶର ବୀମା କ୍ଷେତ୍ରରେ ବିଦେଶରୁ ସିଧା ନିବେଶ (ଏଫଡିଆଇ)କୁ ଏବେ ଥିବା ୭୪%ରୁ ବଢାଇ ୧୦୦% କରିବାକୁ ବିଧେୟକରେ ପ୍ରାବଧାନ ରହିଛି। ବିଲ୍ ରେ ବିରୋଧୀ କିଛି ସଂଶୋଧନ ପ୍ରସ୍ତାବ ଦେଇଥିଲେ। ତେବେ ସଂସଦ ଏହାକୁ ଖାରଜ କରିଦେଇଛି। ବିଧେୟକ ଉପରେ ଚର୍ଚ୍ଚାର ଜବାବ ଦେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ ଏହି ସଂଶୋଧନ ଯୋଗୁ ବିଦେଶୀ କମ୍ପାନୀଙ୍କୁ ଦେଶର ବୀମା କ୍ଷେତ୍ରରେ ଅଧିକ ପୁଞ୍ଜି ଆଣିବାକୁ ଅନୁମତି ମିଳିବ। ସୀତାରମଣ ସଦନ କୁ କହିଛନ୍ତି ଯେ ଦେଶରେ ଇନସ୍ୟୁରାନ୍ସ ର ପହଞ୍ଚ ବଢିବାରେ ସହାୟତା ମିଳିବ। ସେ କହିଛନ୍ତି ଯେ ଏଫଡିଆଇ ଲିମିଟ ୧୦୦% ପର୍ଯ୍ୟନ୍ତ ବଢିବା ଯୋଗୁ ଅଧିକ ବିଦେଶୀ କମ୍ପାନୀ ଭାରତ ଆସିବା ଲାଗି ରାସ୍ତା ଫିଟିବ। କାରଣ କେତେକ କ୍ଷେତ୍ରରେ ସେମାନଙ୍କୁ ବିଭିନ୍ନ କାରଣ ଯୋଗୁ ଜଏଣ୍ଟ ଭେଞ୍ଚର ପାର୍ଟନର ମିଳୁ ନାହାନ୍ତି।ମନ୍ତ୍ରୀ କହିଛନ୍ତି ଯେ ଅଧିକ କମ୍ପାନୀ ଆସିଲେ ପ୍ରତିଯୋଗୀତା ବଢିବ ଏହା ଦ୍ୱାରା ବୀମା ପହଞ୍ଚ ବଢିବା, ପ୍ରିମିୟମ ହ୍ରାସ ହେବା ଓ ରୋଜଗାରର ସୁଯୋଗ ସୃଷ୍ଟି ହେବ ବୋଲି ଆଶା କରାଯାଉଛି।