February 26, 2026 12:14 am

କ୍ରାଇମ୍‌ ସ୍ପଟ୍‌ରେ ମହିଳା କମିଶନ ସଦସ୍ୟା: ଧଉଳି ଗଣଦୁଷ୍କର୍ମ ମାମଲା

ଭୁବନେଶ୍ୱର: ଧଉଳିରେ ନାବାଳିକା ଗଣଦୁଷ୍କର୍ମ ମାମଲାରେ ପୋଲିସ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଅନ୍ୟ ଜଣେ ଅଭିଯୁକ୍ତ ଏବେ ବି ଫେରାର ଅଛି। ପୁଲିସ ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । ଇତି ମଧ୍ୟରେ ପୋଲିସ ନାବାଳିକା ଏବଂ ତାଙ୍କ ପୁରୁଷ ବନ୍ଧୁଙ୍କ ବୟାନ ରେକର୍ଡ କରିଛି। ଆଜି କ୍ରାଇମ ସ୍ପଟ୍‌ରେ ପହଞ୍ଚିଛନ୍ତି ମହିଳା କମିଶନ ସଦସ୍ୟା। ପ୍ରଥମେ ଧଉଳି ଥାନା ଯାଇ ଅନୁଧ୍ୟାନ କରିବା ପରେ କ୍ରାଇମ୍‌ ସ୍ପଟ୍‌ ରେ ପହଞ୍ଚିଥିଲେ। ମହିଳା କମିସନର ନିଜ ଆଡୁ ମାମଲା ରୁଜୁ କରିବା ସହିତ ଏହି ଘଟଣାକୁ ଗୁରୁତର ସହ ନିଆଯାଇଛି ଏବଂ ଏଥିପାଇଁ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନେବୁ ବୋଲି କହିଛନ୍ତି।
ସୂଚନାଥାଉ କି, ଧଉଳି ନିକଟରେ ଜଣେ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ଗତ ୧୧ ତାରିଖରେ ନାବାଳିକା ପୁରୁଷ ବନ୍ଧୁଙ୍କ ସହ ଧଉଳି ବୁଲିବାକୁ ଆସିଥିବା ବେଳେ ତାଙ୍କୁ ପାଞ୍ଚ ଜଣ ଦୁର୍ବୃତ୍ତ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଧଉଳିରୁ ଫେରୁଥିବା ସମୟରେ ଦୁର୍ବୃତ୍ତମାନେ ସେମାନଙ୍କୁ ଟଙ୍କା ମାଗିଥିଲେ। ପୁରୁଷ ବନ୍ଧୁ ଟଙ୍କା ଦେବାକୁ ମନା କରିବାରୁ ଦୁର୍ବୃତ୍ତମାନେ ଉଭୟଙ୍କୁ ଏକ ଅନ୍ଧାରିଆ ନଦୀ ପଠାକୁ ଟାଣି ନେଇଥିଲେ। ସେଠାରେ ଦୁର୍ବୃତ୍ତମାନେ ପୁରୁଷ ବନ୍ଧୁଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରିବା ସହ ପଥରରେ ଛେଚି ରକ୍ତାକ୍ତ କରିଦେଇଥିଲେ। ନାବାଳିକା ଜଣକ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିବାରୁ ତାଙ୍କୁ ବଳପୂର୍ବକ ଗଣଦୁଷ୍କର୍ମ କରିଥିଲେ। କେବଳ ସେତିକି ନୁହେଁ, ଦୁଷ୍କର୍ମ ସମୟର ଭିଡିଓ ଏବଂ ଫଟୋ ନିଜ ମୋବାଇଲରେ ଉଠାଇଥିଲେ ଏବଂ ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ଜୀବନରୁ ମାରିଦେବାକୁ ଧମକ ମଧ୍ୟ ଦେଇଥିଲେ। ଘଟଣାସ୍ଥଳରେ ଅଭିଯୁକ୍ତଙ୍କ ସମେତ ମୋଟ ୫ ଜଣ ଉପସ୍ଥିତ ଥିବା ଜଣାପଡିଛି।