April 12, 2026 11:12 pm

UNESCO ସାଂସ୍କୃତିକ ଐତିହ୍ୟ ତାଲିକାରେ ‘ଦୀପାବଳି’ ସାମିଲ

ନୂଆଦିଲ୍ଲୀ: ଭାରତର ଦୀପାବଳି ପର୍ବକୁ UNESCOର ଅମୂଲ୍ୟ ସାଂସ୍କୃତିକ ଐତିହ୍ୟ ତାଲିକାରେ ସାମିଲ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଐତିହାସିକ ନିଷ୍ପତ୍ତିରେ ଖୁସି ପ୍ରକାଶ କରିଛନ୍ତି । ସେ କହିଛନ୍ତି ‘ଦୀପାବଳି ଆମ ସଂସ୍କୃତି ଏବଂ ନୀତି ସହିତ ଘନିଷ୍ଠ ଭାବରେ ଜଡ଼ିତ’ । ଏହା ଆମ ସଭ୍ୟତାର ଆତ୍ମା, ଆଲୋକ ଓ ଧାର୍ମିକତାକୁ ପ୍ରତିପାଦିତ କରେ । ପ୍ରଭୁ ଶ୍ରୀ ରାମଙ୍କ ଆଦର୍ଶ ଅନନ୍ତକାଳ ପାଇଁ ଆମକୁ ମାର୍ଗଦର୍ଶନ କରୁ ବୋଲି ମୋଦି କହିଛନ୍ତି । ଭାରତର ମୋଟ ୧୬ଟି ସାଂସ୍କୃତିକ ପରମ୍ପରା ୟୁନେସ୍କୋରେ ସାମିଲ ହୋଇଛି। କୁମ୍ଭମେଳା, ଯୋଗ, ବୈଦିକ ସଂକୀର୍ତ୍ତନ, ରାମଲୀଳା, କୋଲକାତାର ଦୁର୍ଗା ପୂଜା, ଗୁଜରାଟର ଗରବା, କେରଳର ମୁଦିୟେଟ୍ଟୁ, ଓଡିଶାର ଛଉ ନୃତ୍ୟ, ବୌଦ୍ଧ ସଂକୀର୍ତ୍ତନର ହିମାଳୟ ପରମ୍ପରା, ନବରୋଜ୍ ଏବଂ ସଂକ୍ରାନ୍ତି, ପୋଙ୍ଗଲ ଏବଂ ବୈଶାଖୀ ଭଳି ପର୍ବ ଅନ୍ତର୍ଭୁକ୍ତ। ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ଅନୁଷ୍ଠିତ ୟୁନେସ୍କୋର ଆନ୍ତଃସରକାରୀ କମିଟିର ୨୦ତମ ଅଧିବେଶନରେ ଏହି ଘୋଷଣା କରାଯାଇଛି। ଭାରତ ୟୁନେସ୍କୋର ଅମୁଲ୍ୟ ସାଂସ୍କୃତିକ ଐତିହ୍ୟର ସୁରକ୍ଷା ପାଇଁ ଆନ୍ତଃସରକାରୀ କମିଟିର ଅଧିବେଶନର ଆୟୋଜନ କରୁଛି। ଡିସେମ୍ବର ୮ ରୁ ଡିସେମ୍ବର ୧୩ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ଛଅ ଦିନିଆ ଅଧିବେଶନରେ ୧୮୦ ରୁ ଅଧିକ ଦେଶର ପ୍ରତିନିଧିମାନେ ଅଂଶଗ୍ରହଣ କରୁଛନ୍ତି। ଦିଲ୍ଲୀର କଳା, ସଂସ୍କୃତି, ଭାଷା ଏବଂ ପର୍ଯ୍ୟଟନ ମନ୍ତ୍ରୀ କପିଲ ମିଶ୍ର କହିଛନ୍ତି, “ଏହା ଆମ ସମସ୍ତଙ୍କ ପାଇଁ ଆନନ୍ଦ ଏବଂ ଗର୍ବର ବିଷୟ।”