April 12, 2026 11:30 pm

ଗ୍ରାହକଙ୍କ ଅଭିଯୋଗ ପାଇଁ ଔଷଧ ଦୋକାନ ସାମ୍ନାରେ ଲାଗିବ କ୍ୟୁଆର କୋଡ୍

ନୂଆଦିଲ୍ଲୀ: ଏବେ ଗ୍ରାହକଙ୍କ ପାଇଁ ଔଷଧ ଦୋକାନ ସାମ୍ନାରେ ଲାଗିବ କ୍ୟୁଆର କୋଡ୍ଏହା ଦ୍ବାରା ସ୍ମାର୍ଟଫୋନ୍ ବ୍ୟବହାରୀ ଗ୍ରାହକ ନିଜ ନିଜର ଅଭିଯୋଗ କରିପାରିବେ । ଯଦି କୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଦେଖାଦିଏ, ତା ସଂପର୍କରେ ଗ୍ରାହକ ଏହି କ୍ୟୁଆର କୋଡ୍ ଏବଂ ଟୋଲ୍ ଫ୍ରି ନମ୍ବର ମାଧ୍ୟମରେ ଜଣାଇ ପାରିବେ । କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ (CDSCO) ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ଔଷଧ ଲାଇସେନ୍ସିଂ କର୍ତ୍ତୃପକ୍ଷଙ୍କୁ ସମସ୍ତ ଖୁଚୁରା ଏବଂ ପାଇକାରୀ ଔଷଧ ଦୋକାନରେ ଏକ ସ୍ୱତନ୍ତ୍ର କ୍ୱିକ୍ ରେସପନ୍ସ (QR) କୋଡ୍ ଏବଂ ଟୋଲ୍-ଫ୍ରି ନମ୍ବର ଲଗାଇବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ୟୁଆର କୋଡ୍ ଏବଂ ଟୋଲ୍-ଫ୍ରି ନମ୍ବର ବ୍ୟବହାର କରି, ଲୋକମାନେ ସିଧାସଳଖ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ସଂପର୍କରେ ରିପୋର୍ଟ କରିପାରିବେ। ସିଡିଏସସିଓ କହିଛି ଯେ, ସାଧାରଣ ଲୋକଙ୍କ ସମେତ ଡାକ୍ତରମାନେ ଯେକୌଣସି ଔଷଧର ପ୍ରାର୍ଶ୍ବ ପ୍ରତିକ୍ରିୟା ସଂପର୍କରେ ସୂଚନା ଦେଇପାରିବେ । ଜୁନ ୫, ୨୦୨୫ରେ ଫାର୍ମାକୋଭିଜିଲାନ୍ସ ପ୍ରୋଗ୍ରାମର ୧୬ତମ ବୈଠକରେ ଏହି ନିଷ୍ପତ୍ତି ହୋଇଥିଲା। ଏହାର ଅର୍ଥ ହେଉଛି, କ୍ୟୁଆର କୋଡ୍ ସ୍କାନିଂ କରି, ଗ୍ରାହକ ଏବଂ ଡାକ୍ତମାନେ ଯେକୌଣସି ଔଷଧର ପାର୍ଶ୍ବ ପ୍ରତିକ୍ରିୟା ଯେପରିକି ମୁଣ୍ଡ ବୁଲାଇବା, ଫୁଲିବା, ବାନ୍ତି କିମ୍ବା ଅନ୍ୟାନ୍ୟ ଗୁରୁତର ସମସ୍ୟା ବିଷୟରେ ADRMS (ପ୍ରତିକୂଳ ଔଷଧ ପ୍ରତିକ୍ରିୟା ମନିଟରିଂ ସିଷ୍ଟମ) କୁ ସିଧାସଳଖ ରିପୋର୍ଟ କରିପାରିବେ।ଏହି ସ୍ୱତନ୍ତ୍ର କ୍ୟୁଆର କୋଡ୍ ଦେଶର ପ୍ରତ୍ୟେକ ଖୁଚୁରା ଏବଂ ପାଇକାରୀ ଔଷଧ ଦୋକାନରେ ଏପରି ସ୍ଥାନରେ ପ୍ରଦର୍ଶିତ ହେବ ଯେଉଁଠାରେ ଏହା ସମସ୍ତଙ୍କୁ ଦେଖାଯିବ। ଏହା ସହିତ, ଔଷଧ ଦୋକାନଗୁଡ଼ିକରେ ଏହି କ୍ୟୁଆର କୋଡ୍ ସହିତ ଟୋଲ୍-ଫ୍ରି ନମ୍ବର ୧୮୦୦-୧୮୦-୩୦୨୪ ସ୍ପଷ୍ଟ ଭାବରେ ଉଲ୍ଲେଖ ରହିବ ।