May 30, 2026 10:59 pm

ପୋଲିସ ହାତରେ ଧରା ପଡିଲା ନକଲି ପୋଲିସ …

ବ୍ରହ୍ମପୁର: ବ୍ରହ୍ମପୁର ନିକଟ ନାରାୟଣପୁର ଗ୍ରାମର କେଦାରନାଥ ସ୍ବାଇଁ ଓରଫ ମନୋଜ(୩୭) ଯିଏ କି ପୋଲିସ ପୋଷାକ ପିନ୍ଧି ରାସ୍ତାରେ ଗାଡ଼ିମୋଟର ଅଟକାଇ ଟଙ୍କା ଆଦାୟ କରୁଥିବା ଜଣେ ନକଲି ପୋଲିସ କନଷ୍ଟେବଳକୁ ସଦର ଥାନା ପୋଲିସ ଗିରଫ କରିଛି । ନିଜକୁ ପୋଲିସ ପରିଚୟ ଦେଇ ଲୋକଙ୍କୁ ଠକୁଥିଲା ।
ମିଳିଥିବା ଖବର ଅନୁଯାଇ, ଯୁବକ ଜଣକ ନକଲି ପୋଲିସ ସାଜି ବାଇକ ଚେକିଂ ନାଁରେ ଟଙ୍କା ସଂଗ୍ରହ କରୁଥିଲା । ରବିବାର ମଧ୍ୟ ସଦର ଥାନା ଅନ୍ତର୍ଗତ ପଦରବାଲୀଠାରେ ବାଇକ ଚେକିଂ ଆଳରେ ଟଙ୍କା ସଂଗ୍ରହ କରୁଥିଲା । ଏହି ସମୟରେ ମନୋଜ ସ୍ୱାଇଁକୁ ଗିରଫ କରାଯାଇଛି । ତା ନିକଟରୁ ଗୋଟିଏ ଖେଳନା ପିସ୍ତଲ, ଗୋଟିଏ ଜଙ୍ଗଲ ପ୍ୟାଚ୍ ଡ୍ରେସ୍, ପାଉଚ୍ ସହ ଜଙ୍ଗଲ ପ୍ୟାଚ୍ ବେଲ୍ଟ, ଦୁଇଟି ପି-କ୍ୟାପ୍, ଗୋଟିଏ ଫାଇବର ଲାଠି, ଗୋଟିଏ ଯୋଡ଼ା DMS ଜୋତା ଜବତ ହୋଇଛି । ଖାଲି ସେତିକି ନୁହଁ ମନୋଜ କୁମାର ସ୍ୱାଇଁ ଓଡ଼ିଶା ପୋଲିସ ଲେଖା ଥିବା ଏବଂ ଓପି ଚିହ୍ନ ଥିବା ନାମ ଫଳକ, କଳା ରଙ୍ଗର ପୋଲିସ ବେଲ୍ଟ, ଆଧାର କାର୍ଡ, ପାନ କାର୍ଡ, ମୋବାଇଲ୍ ଫୋନ୍, ପୋଲିସ ପୋଷାକରେ କେଦାରନାଥ ସ୍ୱାଇଁଙ୍କ ଫଟୋଗ୍ରାଫ, ଗୋଟିଏ ଏସବିଆଇ ପାସବୁକ୍ ଆଦି ଜବତ ହୋଇଛି । ତେବେ ଘଟଣାର ଅଧିକ ତଦନ୍ତ ଚାଲିଥିବା ନେଇ ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି ।