December 6, 2025 12:35 pm

ଦେଶରେ ଲାଗୁ ହେଲା ନୂଆ ଶ୍ରମ ଆଇନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଶ୍ରମ ଆଇନରେ ବ୍ୟାପକ ସଂସ୍କାର ଆଣିଛନ୍ତି। ୨୦୨୦ରେ ପାର୍ଲାମେଣ୍ଟରେ ଗୃହୀତ ହୋଇଥିବା ଉକ୍ତ ୪ ଶ୍ରମ ଆଇନକୁ ଶୁକ୍ରବାରଠାରୁ କାର୍ଯ୍ୟକାରୀ କରାଯାଇଛି। ଏହି ବୃହତ୍‌ ସଂସ୍କାର ଅନୁଯାୟୀ, ଅସ୍ଥାୟୀ ଓ ପାର୍ଟଟାଇମ୍‌ ଜବ୍‌ କରୁଥିବା କର୍ମଚାରୀମାନଙ୍କୁ ସାମାଜିକ ସୁରକ୍ଷା ପରିସରଭୁକ୍ତ କରାଯିବ। ସମସ୍ତ କର୍ମଚାରୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ, ବୈଧାନିକ ସର୍ବନିମ୍ନ ମଜୁରି ଏବଂ ସବୁ ସେକ୍ଟରରେ ଠିକ୍‌ ସମୟରେ ବେତନ ପ୍ରଦାନକୁ ବାଧ୍ୟତାମୂଳକ କରାଯିବ। ପୂର୍ବରୁ ଥିବା ୨୯ଟି ଖଣ୍ଡିତ ଆଇନ ସ୍ଥାନରେ ୪ ନୂଆ ଶ୍ରମ ଆଇନ ଯଥା କୋଡ୍‌ ଅଫ୍‌ ଓ୍ବେଜସ୍‌ (୨୦୧୯), ଇଣ୍ଡଷ୍ଟ୍ରିଆଲ ରିଲେଶନ୍ସ କୋଡ୍‌ (୨୦୨୦), କୋଡ୍‌ ଅନ୍‌ ସୋସିଆଲ୍‌ ସିକ୍ୟୁରିଟି(୨୦୨୦) ଏବଂ ଅକ୍ୟୁପେଶନାଲ ସେଫ୍ଟି, ହେଲ୍‌ଥ ଆଣ୍ଡ ଓ୍ବର୍କିଂ କଣ୍ଡିଶନ୍ସ କୋଡ୍‌ (୨୦୨୦) ଶୁକ୍ରବାର କାର୍ଯ୍ୟକାରୀ ହୋଇଛି। ଶ୍ରମ ଆଇନରେ ହୋଇଥିବା ସଂସ୍କାର ମଧ୍ୟରେ ରହିଛି ରାତି ଶିଫ୍ଟରେ କାମ କରୁଥିବା କର୍ମଚାରୀଙ୍କ ସମେତ ମହିଳାମାନଙ୍କ ଅଧିକାର ଓ ସୁରକ୍ଷା ବଢ଼ାଇବା, ୪୦ ବର୍ଷ ବୟସରୁ ଊର୍ଦ୍ଧ୍ୱ କର୍ମଚାରୀମାନଙ୍କୁ ବାର୍ଷକ ମାଗଣା ସ୍ବାସ୍ଥ୍ୟ ଯାଞ୍ଚ, ବିପଜ୍ଜନକ ପ୍ରକ୍ରିୟା ସହ ଜଡ଼ିତ ସଂସ୍ଥା ସମେତ ସମସ୍ତ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଦେଶବ୍ୟାପୀ ଇଏସ୍‌ଆଇସି ସୁବିଧା ଯୋଗାଇଦେବା ଏବଂ ଏକକ ପଞ୍ଜୀକରଣ, ଲାଇସେନ୍ସ ଏବଂ ରିଟର୍ନ ବ୍ୟବସ୍ଥା। ଏହି ସମସ୍ତ ଲେବର କୋଡ୍‌ ସାର୍ବଜନିକ ସାମାଜିକ ସୁରକ୍ଷା, ସର୍ବନିମ୍ନ ତଥା ଠିକ୍‌ ସମୟରେ ମଜୁରି ପ୍ରଦାନ, ସୁରକ୍ଷିତ କାର୍ଯ୍ୟସ୍ଥଳ ନିମନ୍ତେ ଦୃଢ଼ ମୂଳଦୁଆ ହେବା ସହ ଆମ ଲୋକମାନଙ୍କର ବିଶେଷକରି ନାରୀଶକ୍ତି ଓ ଯୁବଶକ୍ତିଙ୍କ ପାଇଁ ଲାଭଦାୟକ ଅବସର ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି Xରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି।