December 6, 2025 3:14 pm

ଉପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଉପାସରେ ରହିଲେ ମହାପ୍ରଭୁ ଲିଙ୍ଗରାଜ । ପ୍ରଶାସନର ଅବହେଳା ଅଭିଯୋଗ କରି ବୁଧବାର ସମର୍ଥା ନିଯୋଗ ସେବାୟତ ନୀତିକାନ୍ତି ବନ୍ଦ କରିଛନ୍ତି । ଏପରିକି ଗୁରୁବାର ମଧ୍ୟ ନୀତି ବନ୍ଦ ରଖିବାକୁ ଦେଇଛନ୍ତି ଚେତାବନୀ । ଏହାକୁ ନେଇ ଭକ୍ତ ମହଲରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି । କାର୍ତ୍ତିକ ମାସରେ ଏଭଳି ଅପ୍ରୀତିକର ଘଟଣାକୁ ଭକ୍ତ ମହଲରେ ନିନ୍ଦା କରାଯାଇଛି ।

ସୂଚନା ଅନୁସାରେ, ବୁଧବାର ସକାଳେ ସ୍ୱାଭାବିକ ଭାବେ ପ୍ରଭୁ ଲିଙ୍ଗରାଜଙ୍କ ଦ୍ୱାରଫିଟା ଓ ସୂର୍ଯ୍ୟପୂଜା ହୋଇଥିଲା । ସମର୍ଥା ନିଯୋଗ ସେବାୟତଙ୍କ ପାଳି ଥିଲା । କିନ୍ତୁ ସମର୍ଥା ନିଯୋଗର ଉପଯୁକ୍ତ ଉତ୍ତରାଧିକାରୀ ଥିବାରୁ ବିବାଦ ସୃଷ୍ଟି ହୋଇଥିଲା । ଫଳରେ ସୂର୍ଯ୍ୟପୂଜା ପରେ ଦ୍ୱାରପାଳ ପୂଜା ପରଠୁ ନୀତିକାନ୍ତି ବନ୍ଦ ରହିଛି । ଫଳରେ ପ୍ରଭୁ ଲିଙ୍ଗରାଜଙ୍କୁ ଖାଡା ଉପବାସରେ ରହିବାକୁ ପଡିଛି l ଏପରିକି ମହାପ୍ରଭୁଙ୍କଠାରେ ଭୋଗ ଲାଗି ହୋଇ ନ ଥିବାରୁ ହଜାର ହଜାର ହବିଷ୍ୟାଳି ଓ ଭକ୍ତ ପ୍ରସାଦ ପାଇବାରୁ ବଞ୍ଚିତ ହୋଇଛନ୍ତି । ଏମିତି ପରିସ୍ଥିତି ପାଇଁ ସେବକମାନେ ମନ୍ଦିର ପ୍ରଶାସନ ତଥା ଜିଲ୍ଲାପାଳଙ୍କୁ ଦାୟୀ କରିଛନ୍ତି । ସେବାୟତମାନେ ଅଭିଯୋଗ କରିଛନ୍ତି ଯେ, ସେବାୟତଙ୍କ ଉତ୍ତରାଧିକାରୀ ନ ଥିବାରୁ ତାଙ୍କ ସେବା କିଏ କରିବ ତାହା ପ୍ରଶାସନ ସ୍ଥିର କରି ପାରୁନି । ଫଳରେ ଏମିତି ଅବସ୍ଥା ଦେଖା ଦେଇଛି ।