February 26, 2026 10:35 am

ବିହାର ବିଧାନସଭା ନିର୍ବାଚନ 2025: ଏନଡିଏରେ ଛିଡ଼ିଲା ଆସନ ବଣ୍ଟା

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏନ୍‌ଡିଏ ରବିବାର ଆସନ ଭାଗବଣ୍ଟା କରିଛି। ୨୪୩ ସିଟ୍ ବିଶିଷ୍ଟ ବିଧାନସଭାରେ ଭାଜପା ଓ ଜନତା ଦଳ (ୟୁନାଇଟେଡ୍) ପ୍ରତ୍ୟେକ ୧୦୧ଟି ସିଟ୍‌ରେ ଲଢ଼ିବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜଣାଇଛନ୍ତି। ଚିରାଗ ପସୱାନଙ୍କ ଲୋକ ଜନଶକ୍ତି ପାର୍ଟି (ରାମ ବିଲାସ) ୨୯ଟି ସିଟ୍, ରାଷ୍ଟ୍ରୀୟ ଲୋକ ମୋର୍ଚ୍ଚା (ଆର୍‌ଏଲ୍‌ଏମ୍) ଓ ହିନ୍ଦୁସ୍ଥାନୀ ଆୱାମ୍ ମୋର୍ଚ୍ଚା (ଏଚ୍‌ଏଏମ୍) ପ୍ରତ୍ୟେକ ୬ଟି ସିଟ୍‌ରେ ଲଢ଼ିବେ। ବିହାର ନିର୍ବାଚନ ଇନ୍‌ଚାର୍ଜ ପ୍ରଧାନ କହିଛନ୍ତି ଯେ, ସମସ୍ତ ମେଣ୍ଟ ଦଳ ସିଟ୍ ବଣ୍ଟାକୁ ସ୍ୱାଗତ କରିଛନ୍ତି ଏବଂ ଆଲୋଚନା ସୌହାର୍ଦ୍ୟପୂର୍ଣ୍ଣ ବାତାବରଣରେ ହୋଇଛି। ସମସ୍ତ କର୍ମୀ ଓ ନେତା ଏହାକୁ ସ୍ୱାଗତ କରୁଛନ୍ତି। ବିହାର ପ୍ରସ୍ତୁତ ଏବଂ ଏନ୍‌ଡିଏ ସରକାର ପୁନର୍ବାର ଗଢ଼ିବ,” ବୋଲି ପ୍ରଧାନ ସୋସିଆଲ ମିଡିଆରେ ଲେଖିଛନ୍ତି। ଏହି ଘୋଷଣା ଏନ୍‌ଡିଏରେ ସିଟ୍ ବାଣ୍ଟ ବିବାଦ ଶେଷ କରିଛି, ବିଶେଷକରି ଏଚ୍‌ଏଏମ୍ ନେତା ଜୀତନ ରାମ ମାଞ୍ଜୀଙ୍କ ଦଳ ସହ। ମାଞ୍ଜୀ ପ୍ରଥମେ ଅସନ୍ତୁଷ୍ଟ ଥିଲେ ଏବଂ ପ୍ରାୟ ୧୫ ସିଟ୍ ଦାବି କରିଥିଲେ, କିନ୍ତୁ ଦିଲ୍ଲୀରେ ଭାଜପା ନେତାଙ୍କ ସହ ଆଲୋଚନା ପରେ ୬ ସିଟ୍‌ରେ ରାଜି ହୋଇଛନ୍ତି। ଭବିଷ୍ୟତରେ ଏଚ୍‌ଏଏମ୍‌କୁ ଏକ ଏମ୍‌ଏଲ୍‌ସି ସିଟ୍ ମିଳିପାରେ ବୋଲି ସୂଚନା। ମାଞ୍ଜୀ କହିଥିଲେ ଯେ, ‘ସମ୍ମାନଜନକ’ ସିଟ୍ ନ ମିଳିଲେ ନିର୍ବାଚନରୁ ଦୂରେଇ ରହିବେ, କିନ୍ତୁ ଏବେ ପାଟନା ଫେରିଛନ୍ତି। ନିର୍ବାଚନ ୬ ଓ ୧୧ ନଭେମ୍ବରରେ ଦୁଇ ପର୍ଯ୍ୟାୟରେ ହେବ ଏବଂ ଫଳାଫଳ ୧୪ ନଭେମ୍ବରରେ ପ୍ରକାଶ ପାଇବ।