December 6, 2025 3:41 pm

ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହେଲା ଶିମିଳିପାଳର ବିରଳ କଳାବାଘ

ଭୁବନେଶ୍ୱର: ବନ୍ୟପ୍ରାଣୀ ସମ୍ପର୍କିତ ଚମତ୍କାର କଥାବସ୍ତୁ ଓ ଚିତାକର୍ଷକ ଚିତ୍ର ପାଇଁ ସାରା ବିଶ୍ୱରେ ବିଶେଷ ଆଦୃତ ଲାଭ କରିଥିବା ନ୍ୟାସନାଲ୍ ଜିଓଗ୍ରାଫିକ୍ ପତ୍ରିକାର ଅକ୍ଟୋବର ସଂସ୍କରଣର ପ୍ରଚ୍ଛଦପୃଷ୍ଠାରେ ସ୍ଥାନିତ ହୋଇଛି ଶିମିଳିପାଳର ବିରଳ କଳାବାଘ । “The Tigers Who Changed Their Stripes” ଶୀର୍ଷକ କାହାଣୀଟି ଶିମିଳିପାଳ ଅଭୟାରଣ୍ୟର ବିରଳ କଳାବାଘ ଏବଂ ଓଡିଶା ସରକାରଙ୍କ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଦ୍ୱାରା ବାଘ ସ୍ଥାନାନ୍ତରଣ ପ୍ରକ୍ରିୟା ଉପରେ ପର୍ଯ୍ୟବେସିତ ଅଟେ । ନ୍ୟାସନାଲ୍ ଜିଓଗ୍ରାଫିକ୍ ଏକ୍ସପ୍ଲୋରର୍ ଓ ଫଟୋଗ୍ରାଫର୍ ଶ୍ରୀ ପ୍ରସେନଜିତ ଯାଦବ ଅନେକ ଦିନଧରି ଶିମିଳିପାଳର ଘନ ଜଙ୍ଗଲ ମଧ୍ୟରେ ବାଘମାନଙ୍କର ଗତିବିଧି ଲକ୍ଷ କରିବା ସହ ବିରଳ କଳାବାଘ ଉପରେ ନ୍ୟାସନାଲ୍ ଜିଓଗ୍ରାଫିକର ପ୍ରଚ୍ଛଦପୃଷ୍ଠାରେ ସ୍ଥାନ ପାଇଲା ଭଳି ଏକ ଚମତ୍କାର କାହାଣୀ ରଚନା କରିଛନ୍ତି । କାହାଣୀକୁ ଅଧିକ ଆକର୍ଷଣୀୟ କରିଛି ତାଙ୍କ ଦ୍ୱାରା ଘନ ଜଙ୍ଗଲର ସବୁଜ ବନାନୀ ମଧ୍ୟରେ ଶିଉଳିମୟ ପଥର ଉପରୁ ନିର୍ବାକ ହୋଇ କ୍ୟାମେରାକୁ ଅନେଇରହିଥିବା କଳାବାଘର ପ୍ରଚ୍ଛଦ ପଟର ଚିତ୍ର । ତାଙ୍କୁ ଏହି କାର୍ଯ୍ୟରେ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ସମସ୍ତ ପ୍ରକାର ସହଯୋଗ କରିଛି । ବିଭାଗ ଦ୍ୱାରା ପ୍ରଦତ୍ତ ସମସ୍ତ ସହଯୋଗ ପାଇଁ ଶ୍ରୀ ଯାଦବ ବିଭାଗ ଏବଂ ସରକାରଙ୍କୁ ସାଧୁବାଦ ଜଣାଇବା ସହ ମୟୁରଭଞ୍ଜର ଶିମିଳିପାଳ ଅଭୟାରଣ୍ୟର ମନଲୋଭା ପ୍ରକୃତି, ଶାନ୍ତ-ସରଳ ଜନସାଧାରଣ ଓ ସର୍ବୋପରି ବିରଳ କଳାବାଘ ତାଙ୍କୁ ଅଭିଭୂତ କରିଛି ବୋଲି ସେ ପ୍ରକାଶ କରିଛନ୍ତି ।