December 6, 2025 4:44 pm

ଆଫଗାନିସ୍ତାନ ଭୁକମ୍ପ ମୃତ୍ୟୁ ସଂଖ୍ୟା ୮ ଶହ ଟପିଲା: ଶୋକ ପ୍ରକାଶ କଲେ ମୋଦି

ଆଫଗାନିସ୍ତାନ : ଆଫଗାନିସ୍ତାନ ରେ ହୋଇଥିବା ଭୟଙ୍କର ଭୂମିକମ୍ପ ରେ ମୃତ୍ୟୁ ସଂଖ୍ୟା ୮ ଶହ ଟପିଲାଣି l ଆଫଗାନିସ୍ତାନରେ ହୋଇଥିବା ଏହି ଭୟଙ୍କର ବିପର୍ଯ୍ୟୟକୁ ନେଇ ଶୋକ ପ୍ରକାଶ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ କରି ଦୁଃଖପ୍ରକାଶ କରିଛନ୍ତି ।ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଫଗାନିସ୍ତାନରେ ଭୂକମ୍ପ ଯୋଗୁ ଶତାଧିକ ଲୋକଙ୍କ ପ୍ରାଣହାନୀ ଘଟଣାରେ ସେ ଗଭୀର ଭାବରେ ମର୍ମାହତ । ଏଭଳି କଠିନ ମୁହୂର୍ତ୍ତରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହିତ ଅମର ଆତ୍ମାର ସଦଗତି କାମନା କରୁଛି । କ୍ଷତିଗ୍ରସ୍ତମାନଙ୍କୁ ସମସ୍ତ ପ୍ରକାର ମାନବୀୟ ସହାୟତା ଏବଂ ରିଲିଫ୍ ଯୋଗାଇଦେବାକୁ ଭାରତ ପ୍ରସ୍ତୁତ ରହିଛି ।ଆମେରିକୀୟ ଭୂତତ୍ତ୍ୱ ସର୍ଭେ (USGS) ଅନୁଯାୟୀ, ଏହାର କେନ୍ଦ୍ରସ୍ଥଳ ଜଲାଲାବାଦ ସହରଠାରୁ ୨୭ କିଲୋମିଟର ଦୂରରେ ହୋଇଥିଲା । ଏପର୍ଯ୍ୟନ୍ତ ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି ଏବଂ ୨୫୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ତାଲିବାନର ଗୃହ ମନ୍ତ୍ରଣାଳୟ ଚେତାବନୀ ଦେଇଛି ଯେ, ପ୍ରଭାବିତ ଅଞ୍ଚଳ ଏକ ଅତ୍ୟନ୍ତ ଦୁର୍ଗମ ଏବଂ କଷ୍ଟକର ପାର୍ବତ୍ୟ ଅଞ୍ଚଳ ହୋଇଥିବାରୁ ଏହି ସଂଖ୍ୟା ଆହୁରି ବଢ଼ିପାରେ ।