ଭୁବନେଶ୍ୱର: ଲୋକସଭା ବାଚସ୍ପତି ଓମ୍ ବିର୍ଲା ୨୯ ଅଗଷ୍ଟ ୨୦୨୫ରେ ଭୁବନେଶ୍ୱରଠାରେ ସଂସଦ ଏବଂ ରାଜ୍ୟ ବିଧାନସଭାର ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ଉପରେ ଗଠିତ ସମିତିର ଅଧ୍ୟକ୍ଷମାନଙ୍କ ଜାତୀୟ ସମ୍ମିଳନୀକୁ ଉଦଘାଟନ କରିବେ। ଶ୍ରୀ ବିର୍ଲା ଏହି ଅବସରରେ ଏକ ପ୍ରଦର୍ଶନୀକୁ ଉଦଘାଟନ କରିବେ ଏବଂ ଏକ ସ୍ମରଣିକାକୁ ମଧ୍ୟ ଉନ୍ମୋଚନ କରିବେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ, କେନ୍ଦ୍ରଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭା ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂହ ଏବଂ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂହ କୁଲସ୍ତେ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହିତ ଉପସ୍ଥିତ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ବୋଧିତ କରିବେ। ସଂସଦ ଏବଂ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ବିଧାନସଭାରେ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମିତିର ଅଧ୍ୟକ୍ଷ ଓ ସଦସ୍ୟ, ଓଡ଼ିଶା ସରକାରଙ୍କ ମନ୍ତ୍ରୀ ଏବଂ ଓଡ଼ିଶା ବିଧାନସଭାର ସଦସ୍ୟମାନେ ଉଦଘାଟନୀ ସମାରୋହରେ ଯୋଗଦେବେ।
ଏହି ଦୁଇ ଦିନିଆ ସମ୍ମିଳନୀରେ, ଅନୁସୂଚିତ ଜାତି ଏବଂ ଜନଜାତିଙ୍କ ସଶକ୍ତିକରଣ ପାଇଁ ସାମ୍ବିଧାନିକ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବା, ସାମାଜିକ-ଆର୍ଥିକ ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ସର୍ବୋତ୍ତମ ଅଭ୍ୟାସଗୁଡ଼ିକୁ ବାଣ୍ଟିବା ଉପରେ ଆଲୋଚନା କରାଯିବ। ଏହା ସହିତ ୨୦୪୭ ମସିହା ସୁଦ୍ଧା ଏକ ସମାବେଶୀ ବିକଶିତ ଭାରତ ଗଠନ ଲକ୍ଷ୍ୟ ହାସଲ କରିବା ପାଇଁ କଲ୍ୟାଣକାରୀ ନୀତିଗୁଡ଼ିକର କାର୍ଯ୍ୟକାରିତାରେ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବାରେ ସଂସଦୀୟ ଏବଂ ରାଜ୍ୟ ବିଧାନସଭା କମିଟିଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରାଯିବ।
ଆସନ୍ତା ୩୦ ଅଗଷ୍ଟରେ ଓଡ଼ିଶାର ରାଜ୍ୟପାଳ ଡକ୍ଟର ହରି ବାବୁ କମ୍ଭମପାଟିଙ୍କ ଉଦଯାପନୀ ଅଭିଭାଷଣ ସହିତ ଏହି ସମ୍ମିଳନୀ ଉଦଯାପିତ ହେବ। ଲୋକସଭା ବାଚସ୍ପତି ଶ୍ରୀ ଓମ୍ ବିର୍ଲା, ରାଜ୍ୟସଭା ଉପାଧ୍ୟକ୍ଷ ଶ୍ରୀ ହରିବଂଶ, ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ପାଇଁ ଗଠିତ ସଂସଦୀୟ ସମିତିର ଅଧ୍ୟକ୍ଷ ଡକ୍ଟର ଫଗନ ସିଂ କୁଲସ୍ତେ, ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ, ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଉଦଯାପନୀ ଅଧିବେଶନରେ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି।









