ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ନେତା ତଥା ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜଙ୍କ ୧୩ଟି ସ୍ଥାନରେ ଇଡି ଚଢ଼ାଉ କରିଛି । ଆପ୍ ସରକାରଙ୍କ ସମୟରେ ସ୍ୱାସ୍ଥ୍ୟ ଭିତ୍ତିଭୂମି ସହ ଜଡ଼ିତ ପ୍ରକଳ୍ପରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହୋଇଥିଲା । ଏ ନେଇ ଦିଲ୍ଲୀର ଦୁର୍ନୀତି ନିବାରଣ ଶାଖା (ACB) ଗତ ଜୁନରେ ପୂର୍ବତନ ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ସତ୍ୟେନ୍ଦ୍ର ଜୈନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଏହି ମାମଲାରେ ଇଡି ଜୁଲାଇ ମାସରେ କେସ୍ ପଞ୍ଜୀକୃତ କରିଥିଲା । ୫,୫୯୦ କୋଟି ଟଙ୍କାର ଦୁର୍ନୀତି ମାମଲାରେ ଆପ୍ କାର୍ଯ୍ୟକାଳର ଦୁଇ ଜଣ ମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ସତ୍ୟେନ୍ଦ୍ର ଜୈନଙ୍କ ଭୂମିକା ତଦନ୍ତ ପରିସରଭୁକ୍ତ ରହିଛି । ଇଡି ମୁତାବକ, ୨୦୧୮-୧୯ରେ ଆମ୍ ଆଦମୀ ପାର୍ଟି ସରକାର ୨୪ଟି ହସ୍ପିଟାଲ ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଥିଲେ । ୬ ମାସ ଭିତରେ ଆଇସିୟୁ ହସ୍ପିଟାଲ ପ୍ରସ୍ତୁତ କରି ଦିଆଯିବା ନେଇ ଯୋଜନା ଥିଲା । କିନ୍ତୁ ଦାବି କରାଯାଉଛି ଯେ ଏ ପର୍ଯ୍ୟନ୍ତ କାମ ସମ୍ପୂର୍ଣ୍ଣ ହୋଇନାହିଁ । ଯେତେବେଳେ କି, ୮୦୦ କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ ହୋଇସାରିଛି । କେବଳ ୫୦% କାମ ହିଁ ପୂରା ହୋଇଛି । ଏସିବି ଦ୍ବାରା ପଞ୍ଜୀକୃତ ମାମଲାରେ କୁହାଯାଇଥିଲା କି, ସହର ସାରା ହସ୍ପିଟାଲ, ପଲିକ୍ଲିନିକ୍ ଏବଂ ଆଇସିୟୁ ଭିତ୍ତିଭୂମି ନିର୍ମାଣରେ ବ୍ୟାପକ ଅନିୟମିତତା, ବିନା କାରଣରେ ବିଳମ୍ବ ଏବଂ ପାଣ୍ଠିର ବ୍ୟାପକ ଅପବ୍ୟବହାର ସାମ୍ନାକୁ ଆସିଛି । ସୂଚନା ମୁତାବକ, ଶହ ଶହ କୋଟି ଟଙ୍କା ଖର୍ଚ୍ଚ ବ୍ଦ୍ଧି ରେକର୍ଡ କରାଯାଇଛି ଏବଂ ଧାର୍ଯ୍ୟ ସମୟ ଭିତରେ ଗୋଟିଏ ବି ପ୍ରୋଜେକ୍ଟ ସମ୍ପୂର୍ଣ୍ଣ ହୋଇନାହିଁ । ୨୨ ଅଗଷ୍ଟ ୨୦୨୪ରେ ସେହି ସମୟର ଦିଲ୍ଲୀ ବିଧାନସଭାରେ ବିରୋଧୀ ନେତା ବିଜେନ୍ଦ୍ର ଗୁପ୍ତା ଏ ନେଇ ଅଭିଯୋଗ କରିଥିଲେ । ଅଭିଯୋଗରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ସୌରଭ ଭରଦ୍ୱାଜ ଓ ସତ୍ୟେନ୍ଦ୍ର ଜୈନଙ୍କ ନାମ ନିଆଯାଇଥିଲା । ପ୍ରକଳ୍ପ ବଜେଟରେ ସୁଚିନ୍ତିତ ହେରଫେର୍ ସାଙ୍ଗକୁ ଘରୋଇ ଠିକାଦାରଙ୍କ ସହ ପାରସ୍ପରିକ ମନ୍ତ୍ରଣା ନେଇ ଅଭିଯୋଗ ହୋଇଥିଲା ।









