December 6, 2025 12:34 pm

ମଧ୍ୟାହ୍ନ ଭୋଜନ ବନ୍ଦ ଘଟଣାରେ ୫୬ ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ୱର: ବୌଦ୍ଧ ଜିଲ୍ଲାର ୫୬ଟି ବିଦ୍ୟାଳୟକୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସ୍ଵାଧୀନତା ଦିବସରେ ଛାତ୍ରଛାତ୍ରୀଙ୍କୁ ମଧ୍ୟାହ୍ନ ଭୋଜନ ଖାଇବାକୁ ନ ଦେବା ମହଙ୍ଗା ପଡ଼ିଛି । ଜିଲ୍ଲାର ୩ ବ୍ଲକ ଶିକ୍ଷା ଅଧିକାରୀ ବୌଦ୍ଧ, କଣ୍ଟାମାଳ ଓ ହରଭଙ୍ଗାଙ୍କ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ବୌଦ୍ଧ ବ୍ଲକର ୧୫ଟି ବିଦ୍ୟାଳୟ, ହରଭଙ୍ଗାର ୩୩ଟି ବିଦ୍ୟାଳୟ ଓ କଣ୍ଟାମାଳର ୮ଟି ବିଦ୍ୟାଳୟ ସ୍ଵାଧୀନତା ଦିବସରେ ପିଲାଙ୍କୁ ରୋଷେଇ କରି ମଧ୍ୟାହ୍ନ ଭୋଜନ ଦେଇ ନଥିଲେ । ଏବେ ଜିଲ୍ଲା ଶିକ୍ଷା ଅଧିକାରୀ କାରଣ ଦର୍ଶାଅ ନୋଟିସ୍ ଜାରି କରିବା ସହିତ କାହିଁକି ବିଭାଗୀୟ କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ସେ ନେଇ ୭ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ୭ ଦିନ ମଧ୍ୟରେ ବିଦ୍ୟାଳୟ ପରିଚାଳନା କମିଟି ଆଗରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେବା ସହ ପ୍ରମାଣ ଭାବେ ଫଟୋ ଓ ଭିଡିଓ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆଗକୁ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ଯେଭଳି ଗାଇଡଲାଇନ୍ ମାନିବେ ସେ ନେଇ ଚେତାବନୀ ଦେବାକୁ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲା ଶିକ୍ଷା ଅଧିକାରୀ । ସୂଚନା ଅନୁଯାୟୀ, ବିଦ୍ୟାଳୟରେ ପର୍ବ ପାଳନ ଦିନରେ ମଧ୍ୟାହ୍ନ ଭୋଜନ ଦେବାକୁ ଶିକ୍ଷା ବିଭାଗ ପକ୍ଷରୁ କଡ଼ା ନିର୍ଦ୍ଦେଶ ରହିଛି । ଏଥିରେ ଖିଲାପ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ନିୟମ ରହିଛି । ଏନେଇ ସ୍ଵାଧୀନତା ଦିବସ ପୂର୍ବ ଦିନ ସମସ୍ତ DEOଙ୍କୁ ନୋଡାଲ ଅଫିସର ଚିଠି କରିଥିଲେ । ତଥାପି ନିର୍ଦ୍ଦେଶ ନ ମାନି ଅନେକ ବିଦ୍ୟାଳୟ ଅଗଷ୍ଟ ୧୫ରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଦେଇ ନଥିଲେ ।