December 6, 2025 8:27 pm

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ଘଟଣାରେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତାଙ୍କ ସିଭିଲ ଲାଇନ୍ସ ସ୍ଥିତ ତାଙ୍କ ସରକାରୀ ବାସଭବନରେ ଜନଶୁଣାଣି କରୁଥିଲା ବେଳେ, ତାଙ୍କ ଉପରେ ଆକ୍ରମଣ ହୋଇଥିଲା। ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଅଟକ ରଖାଯାଇଛି। ଖବର ମିଳିଛି ଯେ ଜନଶୁଣାଣି ସମୟରେ, ଜଣେ ୪୧ ବର୍ଷୀୟ ବ୍ୟକ୍ତି ମୁଖ୍ୟମନ୍ତ୍ରୀଙ୍କ ପାଖକୁ ତାଙ୍କ ଅଭିଯୋଗ ନେଇ ପହଞ୍ଚିଥିଲେ, କିନ୍ତୁ ହଠାତ୍‌ ସେ ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିଲେ। ଆକ୍ରମଣକାରୀଙ୍କ ହାତରେ କିଛି କାଗଜପତ୍ର ଥିଲା। ଆକ୍ରମଣ ପରେ ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଅଭିଯୁକ୍ତ କୌଣସି ରାଜନୈତିକ ଦଳ ସହିତ ଜଡିତ ଥିବା ସନ୍ଦେହ କରାଯାଉଛି ଏବଂ ପୋଲିସ ଏହି ଦୃଷ୍ଟିକୋଣରୁ ମଧ୍ୟ ତଦନ୍ତ କରୁଛି। ଅଭିଯୁକ୍ତ ତାଙ୍କ ନାମ ରାଜେଶ ଭାଇ ଖିମଜୀ ଭାଇ ସାକାରିଆ ବୋଲି କହିଛନ୍ତି। ଅଭିଯୁକ୍ତ ରାଜକୋଟର ବାସିନ୍ଦା ବୋଲି କୁହାଯାଉଛି। ତାଙ୍କ ବୟସ ୪୧ ବର୍ଷ। ଅଭିଯୁକ୍ତଙ୍କ ମା’ ଭାନୁ ବେନ କହିଥିଲେ, ମୋ ପୁଅ ଜଣେ ପଶୁପ୍ରେମୀ ଏବଂ ସେ ବୁଲା କୁକୁରଙ୍କ ଉପରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିରେ ଅସନ୍ତୁଷ୍ଟ ଥିଲେ। ସେଥିପାଇଁ ସେ ଦିଲ୍ଲୀ ଯାଇଥିଲେ। ମିଳିଥିବା ଖବର ଅନୁସାରେ ବ୍ୟକ୍ତି ଜଣକ ପଥର ଭଳି କୌଣସି ଜିନିଷରେ ଆକ୍ରମଣ କରିବାକୁ ଚେଷ୍ଟା କରିଥିଲେ, ମାତ୍ର ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷା ଦଳ ଏବଂ ସେଠାରେ ଉପସ୍ଥିତ ଲୋକମାନେ ତୁରନ୍ତ ଘଟଣାସ୍ଥଳରୁ ଧରି ନେଇଥିଲେ। ଦିଲ୍ଲୀ ବିଜେପି ପକ୍ଷରୁ କୁହାଯାଇଛି ଯେ ଦିଲ୍ଲୀ ରାଜ୍ୟ ସଭାପତି ବୀରେନ୍ଦ୍ର ସଚଦେବ ସାପ୍ତାହିକ ଜନଶୁଣାଣି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କରିଛନ୍ତି। ସେ କହିଛନ୍ତି, ଯୁବକ ଜଣକ ମୁଖ୍ୟମନ୍ତ୍ରୀଙ୍କୁ ଏକ କାଗଜ ଦେଇଥିଲେ ଏବଂ ତାଙ୍କୁ ଆଗକୁ ଟାଣି ନେଇଥିଲେ। ଯାହା ଫଳରେ ମୁଖ୍ୟମନ୍ତ୍ରୀଙ୍କ ମୁଣ୍ଡ ଟେବୁଲରେ ବାଜିଥିଲା। ମୁଖ୍ୟମନ୍ତ୍ରୀ ଏବେ ବି ଆଘାତରେ ଅଛନ୍ତି। ତାଙ୍କର ଯାଞ୍ଚ କରାଯାଇଛି ଏବଂ ସେ ସ୍ଥିର ଅଛନ୍ତି। ସେ ଭବିଷ୍ୟତରେ ମଧ୍ୟ ଜନଶୁଣାଣି ଏବଂ ଜନସମ୍ପର୍କିତ କାର୍ଯ୍ୟକ୍ରମ ଜାରି ରଖିବେ।