December 6, 2025 5:10 pm

ଆସନ୍ତାବର୍ଷ ରଥଯାତ୍ରା ପାଇଁ ସରକାର ଙ୍କ ପ୍ରସ୍ତୁତି ଆରମ୍ଭ

ପୁରୀ: ଆସନ୍ତାବର୍ଷ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ସରକାର । ଆସନ୍ତାବର୍ଷ ରଥଯାତ୍ରା ପାଇଁ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି ମୁଖ୍ୟ ଶାସନ ସଚିବ । ୧୯ ତାରିଖ ସନ୍ଧ୍ୟା ୬ଟାରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ପୁଲିସ ପ୍ରଶାସନ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଓ ବିଭିନ୍ନ ବିଭାଗର ସଚିବ ବୈଠକରେ ସାମିଲ ହେବେ । ଆସନ୍ତାବର୍ଷ ରଥଯାତ୍ରା କିଭଳି ଶୃଙ୍ଖଳିତ ଢଙ୍ଗରେ ସୁରୁଖୁରୁରେ କରାଯିବ, ସେନେଇ ବିସ୍ତୃତ ଭାବେ ଆଲୋଚନା କରାଯିବ। ଅନ୍ୟପଟେ ପରିଚାଳନା କମିଟି ବିନା ଯାତ୍ରା ଆୟୋଜନ ଯୋଗୁଁ ସମସ୍ୟା ହେଉଥିବା ଅଭିଯୋଗ ହୋଇଆସୁଛି । ତେଣୁ ଆସନ୍ତା ଏକ ସପ୍ତାହ ଭିତରେ ଶ୍ରୀମନ୍ଦିର ପରିଚାଳନା କମିଟି ଗଠନ କରାଯିବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ । ୨୦୨୫ ରଥଯାତ୍ରାରେ ଦଳାଚକଟାରେ ୩ ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ, ଶତାଧିକ ଆହତ, ରଥଟଣାରେ ଅହେତୁକ ବିଳମ୍ୱ ଘଟଣାକୁ ନେଇ ବଦନାମ ହୋଇଥିଲେ ସରକାର । ଶରଧାବାଲି ଅଘଟଣରେ ପ୍ରାଶାସନିକ ବିଫଳତା, କାହିଁକି ଫେଲ୍ ମାରିଲେ ସରକାର ତାହାର ତଦନ୍ତ କରି ରିପୋର୍ଟ ଦେଇଛି ଉନ୍ନୟନ କମିସନର ଅନୁ ଗର୍ଗଙ୍କ ନେତୃତ୍ବରେ ହୋଇଥିବା କମିଟି । ଏବେ କମିଟିର ରିପୋର୍ଟ ଓ ପୂର୍ବରୁ ରଥଯାତ୍ରା ପରିଚାଳନା ପାଇଁ ଥିବା ଏସଓପିକୁ ସମୀକ୍ଷା କରି ନୂଆ ଗାଇଡଲାଇନ ପ୍ରସ୍ତୁତ କରିବାକୁ ଯୋଜନା ହୋଇଛି ।