May 31, 2026 12:37 am

ଚଳିତ ବର୍ଷ ମିଳିବ ୪୦ ହଜାର ନିଯୁକ୍ତି,ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡ଼ିଶାରେ ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରିର ଏକ ବଡ଼ ସୁଯୋଗ ଆଣିଛନ୍ତି। ଚଳିତ ବର୍ଷ ରାଜ୍ୟ ସରକାର ଆଉ ୪୦ ହଜାର ସରକାରୀ ଚାକିରି ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ମାଝୀ ଘୋଷଣା କରିଛନ୍ତି। ଏକ୍ସ ପୋଷ୍ଟ ମାଧ୍ୟମରେ ଏହି ସୂଚନା ଦେଇ ସେ କହିଛନ୍ତି ଯେ, ତାଙ୍କ ସରକାର ପ୍ରଥମ ବର୍ଷରେ ୨୮ ହଜାର ଚାକିରି ପ୍ରଦାନ କରିସାରିଛନ୍ତି ଏବଂ ଦ୍ୱିତୀୟ ବର୍ଷରେ ୪୦ ହଜାର ନୂଆ ନିଯୁକ୍ତି ଦେବା ପାଇଁ ପ୍ରତିଶ୍ରୁତିବଦ୍ଧ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରୀୟ ସୁଶାସନ ଦିବସ ଅବସରରେ ଘୋଷଣା କରିଥିଲେ ଯେ, ଆଗାମୀ ଦୁଇ ବର୍ଷ ମଧ୍ୟରେ ୭୫ ହଜାର ସରକାରୀ ପଦବୀ ପୂରଣ କରାଯିବ। ସେ ଦାବି କରିଛନ୍ତି ଯେ, ପୂର୍ବତନ ସରକାରଙ୍କ ସମୟରେ ପ୍ରାୟ ଦେଢ଼ ଲକ୍ଷ ପଦବୀ ଖାଲି ରହିଥିଲା, ଯାହାକୁ ବର୍ତ୍ତମାନ ସରକାର ପୂରଣ କରିବା ପାଇଁ ଦ୍ରୁତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଖୁବଶୀଘ୍ର ୨୦ ହଜାର ଶିକ୍ଷକ ପଦବୀ ପୂରଣ କରାଯିବ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି। ଏହି ଘୋଷଣା ରାଜ୍ୟର ଯୁବବର୍ଗଙ୍କ ମଧ୍ୟରେ ଆଶାର ସଞ୍ଚାର କରିଛି।