December 6, 2025 1:03 pm

ରଥଯାତ୍ରା ରେ ଦଳାଚକଟା ଘଟଣାରିପୋର୍ଟ ଦାଖଲ କଲେ ଉନ୍ନୟନ କମିଶନର

ଭୁବନେଶ୍ୱର: ରଥ ସମ୍ମୁଖରେ ଦଳାଚକଟାରେ ୩ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟଣାର ତଦନ୍ତ ରିପୋର୍ଟକୁ ଉନ୍ନୟନ କମିସନର ଅନୁ ଗର୍ଗ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ପ୍ରଦାନ କରିଛନ୍ତି। ଏହି ଘଟଣାରେ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ପ୍ରଶାସନିକ ତଦନ୍ତ ଚାଲିଥିଲା। ମାସକ ମଧ୍ୟରେ ରିପୋର୍ଟ ଦେବାକୁ ସରକାର ନିର୍ଦ୍ଦେଶ ଦେଇଥିଲେ। ଶ୍ରୀମତୀ ଗର୍ଗ ଏକ ମାସ ଦୁଇ ଦିନରେ ରିପୋର୍ଟ ଦେଇଛନ୍ତି। ଏହି ଘଟଣା ପାଇଁ କିଏ ଦାୟୀ, ବ୍ୟବସ୍ଥାଗତ ବିଫଳତା, ଏହାକୁ କିପରି ଏଡ଼ାଯାଇପାରିଥାନ୍ତା, ଆଗାମୀ ଦିନରେ କିପରି ଏଭଳି ଅଘଟଣ ନ ଘଟବ, ସେ ସଂକ୍ରାନ୍ତରେ ପୁଙ୍ଖାନୁପୁଙ୍ଖ ରିପୋର୍ଟରେ ଦର୍ଶାଯାଇଛି। ସୂଚନା ଅନୁଯାୟୀ, ଶ୍ରୀମତୀ ଗର୍ଗ ପ୍ରାୟ ୨ ହଜାର ପୃଷ୍ଠାର ତଦନ୍ତ ରିପୋର୍ଟ ସହ ଏକ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଦେଇଛନ୍ତି। ଦଳାଚକଟା ଘଟଣାରେ ପ୍ରାଣ ହରାଇଥିବା ତିନି ଶ୍ରଦ୍ଧାଳୁଙ୍କ ପରିବାର ଲୋକ ଓ ସମ୍ପର୍କୀୟଙ୍କ ବୟାନ, ଆହତ ଶ୍ରଦ୍ଧାଳୁଙ୍କ ବୟାନ, ଭୁବନେଶ୍ୱର ରାଜ୍ୟ ଅତିଥି ଭବନଠାରେ ଯେଉଁ ୧୭ଜଣ ସାଧାରଣ ଲୋକଙ୍କଠାରୁ ବୟାନ ରେକର୍ଡ ହୋଇଥିଲା, ସେମାନେ ଦେଇଥିବା ତଥ୍ୟପ୍ରମାଣ, ପୁରୀ ସର୍କିଟ ହାଉସ୍‌ଠାରେ ଗ୍ରହଣ କରାଯାଇଥିବା ୮୨ ଜଣ ପୁଲିସ କର୍ମଚାରୀ, ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନର ଅଧିକାରୀ ଓ କର୍ମଚାରୀ, ରଥଯାତ୍ରା ଭିଡ଼ ନିୟନ୍ତ୍ରଣ ପାଇଁ ହୋଇଥିବା ସମନ୍ବିତ କମାଣ୍ଡ କଣ୍ଟ୍ରୋଲ କେନ୍ଦ୍ର କର୍ମଚାରୀଙ୍କ ‌ବୟାନ, ସେହି ରାତିରେ ଉପସ୍ଥିତ ଲୋକ ପଠାଇଥିବା ଫଟୋ ଓ ଭିଡିଓର ଦୃଶ୍ୟକୁ ଏଥିରେ ସାମିଲ୍ କରାଯାଇଛି। ଏହାସହ ସେଦିନ ରଥ ଦାୟିତ୍ବରେ ଥିବା ୫ ଜଣ ବରିଷ୍ଠ ପୁଲିସ ଅଧିକାରୀ, ତିନି ରଥର ପାଳିଆ ସେବାୟତଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ସାଧାରଣ ଲୋକ ଇମେଲ୍‌ ଯୋଗେ ପଠାଇଥିବା ତଥ୍ୟ, ଫଟୋ ଆଦିକୁ ଏଥିରେ ସ୍ଥାନିତ କରାଯାଇଛି।