February 26, 2026 5:43 pm

ଶିଳ୍ପପତି ଅନିଲ ଅମ୍ବାନୀ ଇଡି ଜାଲରେ

ନୂଆଦିଲ୍ଲୀ: ଉଦ୍ୟୋଗପତି ଅନିଲ ଅମ୍ବାନିଙ୍କ ଅନେକ ଠିକଣାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଚଢଉ କରିଛି । ଗୁରୁବାର ଅନିଲ ଅମ୍ବାନିଙ୍କ ଗ୍ରୁପର କମ୍ପାନି ରାଗା କମ୍ପାନି ବିରୋଧରେ ମନି ଲଣ୍ଡ୍ରିଂର ବଡ ଯାଞ୍ଚ ଆରମ୍ଭ କରିଛି । ଏଜେନ୍ସି ପକ୍ଷରୁ ଅନିଲ ଅମ୍ବାନିଙ୍କ ସହ ଜଡିତ ୪୮ରୁ ୫୦ ସ୍ଥାନରେ ଇଡି ସର୍ଚ୍ଚ ଅପରେସନ ଚଳାଇଛି । ସିବିଆଇ ପକ୍ଷରୁ ଦୁଇଟି ଏଫଆଇଆର ରୁଜୁ ପରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଥିବା କୁହାଯାଉଛି ।
ତଦନ୍ତରୁ ଜଣା ପଡିଛି ଯେ, ସବୁ କମ୍ପାନି ବ୍ୟାଙ୍କରୁ ଲୋନ ନେଇ ଟଙ୍କାର ଦୁରପଯୋଗ କରିଛନ୍ତି । ଉକ୍ତ ଅର୍ଥକୁ ଅନ୍ୟ କମ୍ପାନିରେ ବିନିଯୋଗ କରି ସାଧାରଣ ଜନତା,ନିବେଶକ ଓ ସରକାରୀ ସଂସ୍ଥାକୁ ଧୋକା ଦିଆଯାଇଛି । ଅନେକ ବଡ ସଂସ୍ଥା ଇଡିକୁ ଏହି ସବୁ ତଥ୍ୟ ପ୍ରଦାନ କରିଛନ୍ତି । ଏଥିରେ ନ୍ୟାସନାଲ ହାଉସିଂ ବ୍ୟାଙ୍କ(ଏନଏଚବି), ସେବି, ନ୍ୟାସନାଲ ଫାଇନାନସିଆଲ ରିପୋର୍ଟିଂ ଅଥରଟି ଓ ବ୍ୟାଙ୍କ ଅଫ ବରୋଦା ସାମିଲ । ଇଡିର ପ୍ରାରମ୍ଭିକ ତଦନ୍ତରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । କୁହାଯାଇଛି ୨୦୧୭ରୁ ୨୦୧୯ ମଧ୍ୟରେ ୟସ ବ୍ୟାଙ୍କରୁ ୩ ହଜାର କୋଟି ଟଙ୍କା ଲୋନ ନେଇ ଉକ୍ତ ଅର୍ଥକୁ ଅନ୍ୟ କମ୍ପାନିରେ ବିନିଯୋଗ କରାଯାଇଛି । କେବଳ ଏତିକି ନୁହେଁ ଲୋନ ମଞ୍ଜୁରୀ ପାଇଁ ୟସ ବ୍ୟାଙ୍କର ଅଧିକାରୀ ଓ ପ୍ରମୋଟର୍ସଙ୍କୁ ଲାଞ୍ଚ ଦିଆଯାଇଥିବା ତଥ୍ୟ ମଧ୍ୟ ସାମ୍ନାକୁ ଆସିଛି । କେନ୍ଦ୍ର ଯାଞ୍ଚ ଏଜେନ୍ସି ପୁରା ମାମଲାରେ ସମଗ୍ର ଦେଶରେ ୪୮ରୁ ୫୦ ସ୍ଥାନରେ ଚଢଉ କରିଛି । ତଦନ୍ତ ବେଳେ ଜଣାପଡିଛି ଯେ, ୟସ ବ୍ୟାଙ୍କ ରାଗା କମ୍ପାନିକୁ ଲୋନ ଦେବା ସମୟରେ ନିଜ ନିୟମର ଉଲ୍ଲଂଘନ କରିଛି ।