December 6, 2025 7:41 pm

ନାବାଳିକାଙ୍କୁ ଜାଳିଦେବା ଘଟଣାରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ମର୍ମାହତ

ଭୁବନେଶ୍ୱର: ପୁରୀ ଜିଲ୍ଲା ବଳଙ୍ଗା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ସାଙ୍ଗ ଘରକୁ ବହି ଆଣିବାକୁ ଯାଉଥିବା ବେଳେ ଜଣେ ନାବାଳିକାଙ୍କୁ ୩ ଜଣ ଦୁର୍ବୃତ୍ତ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ନାବାଳିକା ଜଣଙ୍କ ଦୁର୍ବୃତ୍ତଙ୍କ କବଳରୁ ଖସି ଆସି ତେରହଳ ଗାଁ ମୁଣ୍ଡରେ ଥିବା ଜଣଙ୍କ ଘରେ ପଶିଯାଇ ଜୀବନ ରକ୍ଷା କରିଥିଲେ। ନାବାଳିକାଙ୍କ ଗୋଡ଼ ହାତ ସହ ଶରୀର ପୋଡ଼ି ଯାଇଛି। ତାଙ୍କୁ ପ୍ରଥମେ ପିପିଲି ପରେ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ବାଲେଶ୍ଵର ଏଫଏମ କଲେଜ ଛାତ୍ରୀଙ୍କ ଆତ୍ମାହୁତି ଘଟଣା ଥମି ନଥିବା ବେଳେ ଏହି ଘଟଣା ସାରା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଗୁରୁତର ଅବସ୍ଥାରେ ନାବାଳିକା ପୀଡ଼ିତାଙ୍କୁ ଉଦ୍ଧାର କରାଯିବା ପରେ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଛି। ଘଟଣା ସ୍ଥଳରେ ବଳଙ୍ଗା ପୁଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।
ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ସେ କହିଛନ୍ତି, ଖବର ଶୁଣି ମୁଁ ବ୍ୟଥିତ ଓ ମର୍ମାହାତ। ପୀଡ଼ିତାଙ୍କୁ ଭୁବନେଶ୍ଵର ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଉଛି। ସରକାର ପୀଡ଼ିତାଙ୍କ ସବୁ ଚିକିତ୍ସା ଖର୍ଚ୍ଚ ବହନ କରିବେ। ଦୋଷୀଙ୍କୁ ତୁରନ୍ତ ଗିରଫ କରିବାକୁ ପୁଲିସ ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଛି।