ଭୁବନେଶ୍ୱର: ବାଲେଶ୍ୱର ଏଫ୍ଏମ୍ କଲେଜ ଛାତ୍ରୀଙ୍କୁ ନ୍ୟାୟ ଦାବିରେ ଆଜି ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ ବିରୋଧୀ ଦଳ । ଦୋକାନ, ବଜାର, ଶିକ୍ଷାନୁଷ୍ଠାନ ସମେତ ସମସ୍ତ କାର୍ଯ୍ୟାଳୟ, ଅଦାଲତ, ବ୍ୟାଙ୍କ ଓ ବୀମା ଭଳି ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବନ୍ଦ ରଖିବା ପାଇଁ ଆହ୍ୱାନ ଦିଆଯାଇଛି । ରାଜଧାନୀ ସମେତ ସାରା ରାଜ୍ୟରେ ଶାନ୍ତିପୂର୍ଣ୍ଣ ଭାବେ ବନ୍ଦ ପାଳନ କରିବାକୁ ଆହ୍ୱାନ ଦେଇଛନ୍ତି କଂଗ୍ରେସ ଓ ୮ ରାଜନୈତିକ ଦଳ । ବନ୍ଦ ପାଳନରୁ ଅତ୍ୟାବଶ୍ୟକ ସେବା, ଆମ୍ୱୁଲାନ୍ସ, ରୋଗୀଙ୍କ ଚିକିତ୍ସା ଆଦି ବାଦ ଦିଆଯିବ ବୋଲି ବନ୍ଦ ଡାକରା ଦେଇଥିବା ଦଳ ସ୍ପଷ୍ଟ କରିଛନ୍ତି । ଦିନିକିଆ ବନ୍ଦକୁ ସଫଳ କରିବା ପାଇଁ ରାଜ୍ୟର ଜନସାଧାରଣଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଛନ୍ତି କଂଗ୍ରେସ ସମେତ ୮ ରାଜନୈତିକ ଦଳ । ବିଜେପି ସରକାରର କୁଶାସନ ବିରୋଧରେ ଏହି ବନ୍ଦ ମହିଳାଙ୍କ ସମ୍ମାନ ଓ ସୁରକ୍ଷା ପାଇଁ ଓଡ଼ିଶା ବନ୍ଦ ଲୋକଙ୍କର ହେଉ ବୋଲି ବିରୋଧୀମାନେ ଅପିଲ କରିଛନ୍ତି ।କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପାଇଁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ହୋଇଛି । ଭୁବନେଶ୍ବରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍ । ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହୋଇଛନ୍ତି ପୋଲିସ । ସାଦା ପୋଷାକରେ ପୋଲିସ ବି ମୁତୟନ ହୋଇଛନ୍ତି । ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମନିଟର କରୁଛନ୍ତି । ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ପୋଲିସ କମିଶନର କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ । କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ । ରେଳରୋକ ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।ସେହିଭଳି ଆଜି ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ । ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ପେଟ୍ରୋଲ ପମ୍ପ ।









