୨୦୩୬ରେ ବିକଶିତ ଓଡ଼ିଶା ଲକ୍ଷ୍ୟ ନେଇ ଆଗକୁ ବଢୁଛନ୍ତି ସରକାର । ଏ ନେଇ ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିସାରିଛନ୍ତି । ଆଉ କିଛି ପ୍ରମୁଖ କ୍ଷେତ୍ରକୁ ଫୋକସ କରି ଆଗକୁ ବଢ଼ିଛି ବିଜେପି ସରକାର । ରକ୍ତହୀନତା ଏବଂ ପୁଷ୍ଟିହୀନତାକୁ ଲୋପ କରିବାକୁ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ଆଞ୍ଚଳିକ ବୈଷମ୍ୟ ହାସଲ ପାଇଁ ବି ଲକ୍ଷ୍ୟ ରହିଛି ।୩୬ଟି ପ୍ରାଥମିକ କାର୍ଯ୍ୟକ୍ରମକୁ ଚିହ୍ନଟ କରିଛନ୍ତି ସରକାର । କଲ୍ୟାଣକାରୀ ଯୋଜନାଠୁ ଆରମ୍ଭ କରି ଭିତ୍ତିଭୂମି, କୃଷି କ୍ଷେତ୍ର ଭଳି ବିଭିନ୍ନ କ୍ଷେତ୍ରରେ ସରକାରଙ୍କ ଆଭିମୁଖ୍ୟ ଓ ସରକାର କେଉଁ ଢାଞ୍ଚାରେ ଚାଲିବ, ଏ ସବୁକୁ ନେଇ ଯୋଜନା ପ୍ରସ୍ତୁତ ହୋଇଛି । ବିଶେଷକରି ସାମାଜିକ ଏବଂ ଅର୍ଥନୈତିକ କ୍ଷେତ୍ରକୁ ଗୁରୁତ୍ୱ ଦେଉଛନ୍ତି ସରକାର ।୨୦୩୬ ପାଇଁ ଭିଜନ ଡକ୍ୟୁମେଣ୍ଟ୍ ବି ପ୍ରସ୍ତୁତ ହୋଇସାରିଛି । ନିବେଶ ଏବଂ ବଜାର ଦକ୍ଷତାକୁ ପ୍ରୋତ୍ସାହିତ କରିବା । ବିଶ୍ବସ୍ତରୀୟ ଭିତ୍ତିଭୂମି ସହ ଡିଜିଟାଲ ଭିତ୍ତିଭୂମି ନିର୍ମାଣ ଉପରେ ଫୋକସ୍ କରାଯିବ । ଏହାସହ ଶିକ୍ଷା, ଦକ୍ଷତା ବିକାଶ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କୁଶଳୀ ମାନବ ସମ୍ବଳ ତିଆରି କରି ଜୀବନର ସାମଗ୍ରିକ ମାନ ବୃଦ୍ଧି ଭିଜନ ଡକ୍ୟୁମେଣ୍ଟରେ ଲକ୍ଷ୍ୟ ରଖାଯାଇଛି । ଗବେଷଣା, ବିକାଶ ଏବଂ ନୂଆ ଟେକ୍ନୋଲୋଜିକୁ ଦିଆଯିବ ଅଧିକ ପ୍ରୋତ୍ସାହନ । ବିଶେଷକରି ଆଦିବାସୀ ଏବଂ ଅନ୍ୟାନ୍ୟ ସୀମାନ୍ତ ସମ୍ପ୍ରଦାୟ ଭଳି ଦୁର୍ବଳ ଗୋଷ୍ଠୀ ଉପରେ ଧ୍ୟାନ ଦିଆଯିବ ।ଏଥିପାଇଁ ବୁଦ୍ଧିଜୀବୀ ଓ ଗବେଷକଙ୍କ ସୁଚିନ୍ତିତ ପରାମର୍ଶ ନେଇସାରିଛନ୍ତି ସରକାର ।
