June 26, 2025 2:41 pm

ବେଙ୍ଗାଲୁରୁରେ RCBର ବିଜୟ ଉତ୍ସବ ବେଳେ ଦଳାଚକଟା

ବାଙ୍ଗାଲୁରୁରେ ଘଟିଛି ବଡ଼ ଅଘଟଣ । RCBର ବିଜୟ ଉତ୍ସବ ବେଳେ ଷ୍ଟାଡିୟମ୍‌ ବାହାରେ ଏହି ଦଳାଚକଟା ହୋଇଛି । ଏଥିରେ ଏକାଧିକ ଲୋକ ଆହତ ହୋଇଛନ୍ତି । ୧୧ ଜଣଙ୍କ ମୃତ୍ୟୁ ସୂଚନା ମିଳି ଥିବାବେଳେ ଏହି ସଂଖ୍ୟା ଆହୁରି ବଢିବାର ଆଶଙ୍କା ରହିଛି । ଷ୍ଟାଡିୟମରେ ବିଜୟ ଉତ୍ସବ ବେଳେ ବହୁତ ସଂଖ୍ୟାରେ କ୍ରିକେଟ୍‌ ଫ୍ୟାନ୍‌ ଭିଡ଼ ଜମାଇବାରୁ ଅଘଟଣ ଘଟିଛି । IPLରେ ଦମଦାର ବିଜୟ ପରେ ଟ୍ରଫି ନେଇ ବେଙ୍ଗାଲୁରୁରେ ପହଞ୍ଚିଥିଲା ଆରସିବି ଟିମ୍ ।ଦୀର୍ଘ ୧୮ ବର୍ଷ ପରେ ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁରୁ IPL ଚାମ୍ପିୟନ୍ ହେବା ପରେ ସମସ୍ତେ ଉତ୍ସାହିତ ହୋଇପଡିଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ସେଲିବ୍ରେସନ ପାଇଁ ହୋଇଥିଲା ବ୍ୟାପକ ବ୍ୟବସ୍ଥା । ପୂରା ଶାସନ କଳ ଏଥିପାଇଁ ଲାଗିଯାଇଥିଲା । RCBର ଖେଳାଳିମାନଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା । ବିଧାନସୌଧରୁ ଖେଳାଳିମାନଙ୍କୁ ଚିନ୍ନାସ୍ୱାମୀ ଷ୍ଟାଡିୟମକୁ ସ୍ୱତନ୍ତ୍ର ବସରେ ନିଆଯାଇଥିଲା । କ୍ରିକେଟ୍ ଫ୍ୟାନ ଓ ପ୍ରଶଂସକମାନେ ପାଗଳ ଭଳି ମୁହାଁଇଥିଲେ ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ଆଡକୁ । ଯାହା ଫଳରେ ଏହିଭଳି ଏକ ଅଘଟଣ ଘଟିଥିଲା l ରାଜ୍ୟ କ୍ରିକେଟ୍ ଆସୋସିଏସନ ଓ ପୋଲିସ ମିଳିତ ଭାବେ ଷ୍ଟାଡିୟମରେ ଶୃଙ୍ଖଳା ଦାୟିତ୍ୱରେ ଥିଲେ । ଏହି କାର୍ଯ୍ୟକ୍ରମ କିନ୍ତୁ ରାଜ୍ୟ ସରକାରଙ୍କର ଥିଲା । ସରକାର କ୍ରିକେଟ ଆସୋସିଏସନ ଉପରେ ଆୟୋଜନ ଦାୟିତ୍ୱ ଛାଡି ଚୁପଚାପ୍ ବସିଯାଇଥିଲେ ବୋଲି କୁହାଯାଉଛି ।