February 26, 2026 11:20 am

ବିଦେଶ ଗସ୍ତ ସାରି ଭାରତ ଫେରୁଛନ୍ତି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ

ଭାରତର ୭ଟି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ବିଶ୍ୱର ବିଭିନ୍ନ ଦେଶକୁ ଗସ୍ତ କରିଥିଲେ । ଅପରେସନ ସିନ୍ଦୂରର ସଫଳତା ଏବଂ ପାକିସ୍ତାନର ଆତଙ୍କୀ ପ୍ରୀତି ନେଇ ସାରା ବିଶ୍ୱ ଆଗରେ ପାକିସ୍ତାନର ଅସଲ ମୁଖା ଖୋଲିବାକୁ ବିଭିନ୍ନ ପ୍ରତିନିଧି ମଣ୍ଡଳୀ ଦେଶ ଦେଶ ବୁଲି ଆତଙ୍କବାଦ ବିରୋଧରେ ସ୍ୱର ଉଠାଇଥିଲେ ଏବଂ ଆତଙ୍କବାଦର ମୂଳପୋଛ ପାଇଁ ଏକାଠି ହେବାକୁ ଆହ୍ୱାନ ଦେଇଥିଲେ । ବିଶ୍ୱ ସ୍ତରରେ ପାକିସ୍ତାନକୁ ଘେରିବାକୁ ଭାରତର ଏହି ଯୋଜନା କେତେ ଫଳପ୍ରଦ ହେଲା ଏବଂ ବିଶ୍ୱର ବିଭିନ୍ନ ଦେଶ କଣ ସବୁ ପ୍ରତିକ୍ରିୟା ରଖିଲେ ସେସବୁ ବାବଦରେ ଗୋଟି ଗୋଟି କରି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ମୋଦୀଙ୍କୁ ବ୍ରିଫ୍ କରିବେ । ଆଉ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ଠାରୁ ସବୁ ଶୁଣିବା ପରେ ଆତଙ୍କବାଦ ବିରୋଧରେ ଆଗାମୀ ରଣନୀତି କଣ ହେବ ତାହା ସ୍ଥିର ହେବ ବୋଲି କୁହାଯାଉଥିବା ବେଳେ ଜୁନ ୯ କିମ୍ବା ୧୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀଙ୍କୁ ଭେଟିବେ ବୋଲି ସୂଚନା ରହିଛି । ଏହି ସର୍ବଦଳୀୟ ପ୍ରତିନିଧି ମଣ୍ଡଳୀ ରେ କଂଗ୍ରେସର ଶଶୀ ଥରୁର, ବିଜେପିର ରବି ଶଙ୍କର ପ୍ରସାଦ ଏବଂ ବୈଜୟନ୍ତ ପଣ୍ଡା, ଜେଡିୟୁର ସଞ୍ଜୟ ଝା, ଡିଏମକେର କାନିମୋଜି କରୁଣାନିଧି, ଏନସିପିର ସୁପ୍ରିୟା ସୁଲେ ଏବଂ ଶିବସେନାର ଶ୍ରୀକାନ୍ତ ଏକନାଥ ସିନ୍ଦେ ବିଭିନ୍ନ ଦଳର ନେତୃତ୍ବ ନେଇଥିଲେ । ସେମାନେ ଆମେରିକା, ୟୁରୋପ, ମଧ୍ୟପ୍ରାଚ୍ୟ, ଆଫ୍ରିକା ଏବଂ ପୂର୍ବ ଏସିଆ ପରି ଅନେକ ଦେଶ ଗସ୍ତ କରିଛନ୍ତି l