February 26, 2026 12:00 pm

କଣ୍ଟାବାଞ୍ଜି ଆସନ ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ଵର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଦ୍ୱିତୀୟ ଆସନ କଣ୍ଟାବାଞ୍ଜି ପାଇଁ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ସେ ଟିଟିଲାଗଡ଼ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏହି ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହି ସମୟରେ ବରିଷ୍ଠ ବିଜେଡି ନେତା କାର୍ତ୍ତିକ ପାଣ୍ଡିଆନ, ବଲାଙ୍ଗୀର ସାଂସଦ ପ୍ରାର୍ଥୀ ସୁରେନ୍ଦ୍ର ସିଂ ଭୋଇ, ବରିଷ୍ଠ ନେତା ଅନଙ୍ଗ ଉଦୟ ସିଂହଦେଓ , ଟିଟିଲାଗଡ଼ ବିଧାୟକ ପ୍ରାର୍ଥୀ ଟୁକୁନି ସାହୁ, ବଲାଙ୍ଗୀର ବିଧାୟକ ପ୍ରାର୍ଥୀ କଳିକେଶ ସିଂହଦେଓ ପ୍ରମୁଖ ଉପସ୍ଥିତ ଥିଲେ।

ନବୀନ ଆଜି ସକାଳେ ଭୁବନେଶ୍ବରରୁ ବିମାନ ଯୋଗେ ବଲାଙ୍ଗିରର ତୁଷରା ଏୟାର ଷ୍ଟ୍ରିପରେ ଅବତରଣ କରି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଯାଇଥିଲେ। ରାସ୍ତାର ଦୁଇ ପାଖରେ ନବୀନଙ୍କୁ ଦେଖିବାକୁ ହଜାର ହଜାର ଲୋକଙ୍କର ଭିଡ଼ ଜମିଥିଲା। ଯୁବ, ଛାତ୍ର ଓ ମହିଳା ଏକତ୍ରିତ ହୋଇ ନବୀନଙ୍କୁ ସ୍ବାଗତ କରିଥିଲେ। ମହିଳାମାନେ ଫୁଲ ପକାଇ ନବୀନଙ୍କୁ ପାଛୋଟି ନେଉଥିଲେ।

ସେ ଟିଟିଲାଗଡ଼ ଥାନା ଛକରେ ଥିବା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏହାପରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଚଳିତ ନିର୍ବାଚନରେ ନବୀନ ତାଙ୍କର ପାରମ୍ପରିକ ଆସନ ହିଞ୍ଜିଳି ସମେତ କଣ୍ଟାବାଞ୍ଜିରୁ ବି ପ୍ରାର୍ଥୀ ହୋଇଛନ୍ତି। ଗତ ୩୦ ତାରିଖରେ ସେ ହିଞ୍ଜିଳି ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲେ କରିଛନ୍ତି।