ଭୁବନେଶ୍ୱର: ପ୍ରଚଣ୍ଡ ଖରା ଗରମ କୁ ବଳିଯାଇଛି ନିର୍ବାଚନ ଗରମ ହାୱା । ଧୂ ଧୂ ଖରା ଓ ଗୁଳୁଗୁଳି ଭିତରେ ବିଜେଡି ପ୍ରଚାରକୁ ଜୋରଦାର କରିଛନ୍ତି ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ୍ । ଲଗାତର ପ୍ରଚାର ମଇଦାନକୁ ଓହ୍ଲାଇଥିବା ପାଣ୍ଡିଆନ୍ ଆଜି ତୃତୀୟ ଦିନରେ ଆସିଥିଲେ କଳାହାଣ୍ଡି । କଳାହାଣ୍ଡି ଲୋକସଭା ଅନ୍ତର୍ଗତ ବିଭିନ୍ନ ବିଧାନସଭା ନିର୍ବାଚନମଣ୍ଡଳୀରେ ରୋଡ୍ ସୋ’ କରିବା ସାଙ୍ଗକୁ ଜନସଭାକୁ ସମ୍ବୋଧିତ କରିଥିଲେ । ନବୀନ ସରକାରଙ୍କ ବିକାଶ କାର୍ଯ୍ୟକୁ ଆଲୋକପାତ କରିବା ସହ ବିରୋଧୀଙ୍କ ଉପରେ ନିର୍ଧୂମ ବର୍ଷିଥିଲେ । ନବୀନ ବାବୁ ଆପଣ ସମସ୍ତଙ୍କ ଦାୟିତ୍ୱ ନେଇଛନ୍ତି । ତାଙ୍କ ହାତମୁଠା ଟାଣ କରି ବିରୋଧୀଙ୍କ ମିଠା କଥାର ମାୟା ଜାଲରୁ ଦୂରରେ ରହନ୍ତୁ ବୋଲି ଜନସାଧାରଣଙ୍କୁ ଶ୍ରୀ ପାଣ୍ଡିଆନ୍ ନିବେଦନ କରିଥିଲେ ।
ତେବେ ପ୍ରଚଣ୍ଡ ଖରା ସହ ଘମାଘୋଟ ନିର୍ବାଚନ ପ୍ରଚାରର ଉଷ୍ମତା ମଧ୍ୟରେ ପାଣ୍ଡିଆନଙ୍କର ଏକ ପଖାଳ ଖିଆ ଫଟୋ ଆଜି ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଛି । ଏହି ଫଟୋରେ ପାଣ୍ଡିଆନ୍ ଏବଂ ଜାତୀୟ ଟିଭି ଚାନେଲ୍ ଇଣ୍ଡିଆ ଟୁଡେର ବରିଷ୍ଠ ସାମ୍ବାଦିକ ରାହୁଲ କନୱାଲ ଏକାଠି ବସି ପଖାଳର ମଜ୍ଜା ନେଉଛନ୍ତି ।
ସୂଚନା ଅନୁଯାୟୀ, କଳାହାଣ୍ଡିର ଜୁନାଗଡ଼ରୁ ନିର୍ବାଚନ ପ୍ରଚାର ସାରି ଦାସପୁର ରାସ୍ତା କଡ଼ ଜଙ୍ଗଲରେ ଦିନ ପ୍ରାୟ ୩ଟା ବେଳକୁ ମଧ୍ୟାହ୍ନ ଭୋଜନ କରିଥିଲେ ପାଣ୍ଡିଆନ୍ । ସାଙ୍ଗରେ ଥିଲେ ଇଣ୍ଡିଆ ଟୁଡେର ବରିଷ୍ଠ ସାମ୍ବାଦିକ ତଥା ଆଙ୍କର୍ ରାହୁଲ କନୱାଲ । ପାଣ୍ଡିଆନଙ୍କ ନିର୍ବାଚନ ପ୍ରଚାର କଭର୍ କରିବାକୁ ସେ କଳାହାଣ୍ଡି ଆସିଥିଲେ । ଟିଭି ପାଇଁ ଏକ ସାକ୍ଷାତକାର କାର୍ଯ୍ୟକ୍ରମର ସୁଟିଂ ଭିତରେ ଉଭୟ ଖାଣ୍ଟି ଓଡ଼ିଆ ଖାଦ୍ୟ ପଖାଳର ମଜ୍ଜା ନେଇଥିଲେ । ସମ୍ପୂର୍ଣ୍ଣ ନିରାମିଷ ଏହି ମଧ୍ୟାହ୍ନ ଭୋଜନ ମେନ୍ୟୁରେ ଥିଲା- କଂସା ପାତ୍ରରେ ପଖାଳ ସାଙ୍ଗକୁ ଶାଗ ବଡ଼ି ଚୁରା, ଭେଣ୍ଡି ଭଜା, ଆଳୁ ଭରତା, ଦହି ।
‘ପଖାଳ ମୋର ଭାରି ପ୍ରିୟ । ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କର ମଧ୍ୟ ଏହା ବହୁତ ପ୍ରିୟ ।’ ବୋଲି ରାହୁଲଙ୍କୁ କହିଥିଲେ ପାଣ୍ଡିଆନ୍ । ପଖାଳର ଉପକାରିତା ଓ ପ୍ରସ୍ତୁତି ବିଷୟରେ ମଧ୍ୟ ତାଙ୍କୁ ବୁଝାଇଥିଲେ । ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ତାଙ୍କ ଅତିଥିମାନଙ୍କୁ ପଖାଳ ପରଷି ଥାନ୍ତି ବୋଲି ଜଣାଇଥିଲେ ।
ମଧ୍ୟାହ୍ନ ଭୋଜନ ସାରି ଉଭୟ ଲାଞ୍ଜିଗଡ଼ ସଭା ପାଇଁ ବାହାରି ଯାଇଥିଲେ। ରାହୁଲ କନୱାଲ୍ ମଧ୍ୟ ଏହାକୁ ନିଜ୍ ସୋସିଆଲ୍ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି । ପାଣ୍ଡିଆନଙ୍କୁ ୟଙ୍ଗ, ଏନର୍ଜିଟିକ୍, ଏନ୍ଥୁସିଆଷ୍ଟିକ୍ ଦର୍ଶାଇଛନ୍ତି । ଚଳିତ ନିର୍ବାଚନରେ ତାଙ୍କ ପ୍ରଚାର ଶୈଳୀ ଓ ଲୋକଙ୍କ ଦ୍ୱାରା ଗ୍ରହଣୀୟତା ତାଙ୍କ ପୂର୍ବ ଧାରଣାକୁ ବଦଳାଇ ଦେଇଛି । ଆଗାମୀ ଦିନରେ ଏହାକୁ ସେ ବଜାୟ ରଖି ପାରୁଛନ୍ତି ନା ନାହିଁ ତାହା ଦେଖିବା କଥା ବୋଲି ରାହୁଲ ଉଲ୍ଲେଖ କରିଛନ୍ତି ।