April 12, 2026 11:06 pm

ଇଡି ଛତିଶଗଡ଼ ମଦ ଦୁର୍ନୀତି ମାମଲାରେ ଅବସରପ୍ରାପ୍ତ ଆଇଏଏସ୍‌ ଅଫିସରଙ୍କୁ ବାନ୍ଧିଲା 

ରାୟପୁର: ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ମଦ ଦୁର୍ନୀତି ମାମଲାରେ ଛତିଶଗଡ଼ର ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଅନୀଲ ତୁଟେଜାଙ୍କୁ ଗିରଫ କରିଛି। ୨୦୦୩ ବ୍ୟାଚ୍‌ର ଏହି ଅଧିକାରୀଙ୍କୁ ଶନିବାର ରାୟପୁରସ୍ଥିତ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ)/ଦୁର୍ନୀତି ନିବାରଣ ବ୍ୟୁରୋ (ଏସିବି) କାର୍ଯ୍ୟାଳୟରୁ ଗିରଫ କରିଛି ଫେଡେରାଲ ଏଜେନ୍‌ସି। ଯେଉଁଠାକୁ ପ୍ରଶାସନିକ ଅଧିକାରୀ ଏବଂ ତାଙ୍କ ପୁଅ ୟଶ ଟୁଟେଜା ସମାନ ମାମଲାରେ ବୟାନ ରେକର୍ଡ କରିବାକୁ ଯାଇଥିଲେ।
ପରେ ଆଇଏଏସ୍‌ ଅଧିକାରୀଙ୍କୁ ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ଡରିଂ ଆକ୍ଟ (ପିଏମ୍‌ଏଲ୍‌ଏ)ର ବ୍ୟବସ୍ଥା ଅନୁଯାୟୀ ହେପାଜତକୁ ନିଆଯାଇଥିଲା ଏବଂ ତାଙ୍କୁ ରିମାଣ୍ଡରେ ନେବା ପାଇଁ ମାଜିଷ୍ଟ୍ରେଟଙ୍କ ନିକଟରେ ହାଜର କରାଯିବ ବୋଲି ସୂଚନା ମିଳିଛି। ଏହି ଅଧିକାରୀ ଗତବର୍ଷ ଚାକିରିରୁ ଅବସର ନେଇଥିଲେ।

ଆୟକର ବିଭାଗର ଅଭିଯୋଗ ଆଧାରରେ ସୁପ୍ରିମ୍‌ କୋର୍ଟ ନିକଟରେ ପୂର୍ବରୁ ହୋଇଥିବା ଏତଲାକୁ ରଦ୍ଦ କରିବା ପରେ ଇଡି ଏହି ମଦ ଦୁର୍ନୀତି ମାମଲାରେ ଏକ ନୂଆ ମନି ଲଣ୍ଡରିଂ ମାମଲା ରୁଜୁ କରିଥିଲା।

ଏଜେନ୍‌ସି ଏହି ମାମଲାର ତଦନ୍ତର ବିବରଣୀ ରାଜ୍ୟ ଇଓଡବ୍ଲୁ/ଏସିବିକୁ ପ୍ରଦାନ କରି ଏଫଆଇଆର ରୁଜୁ କରିବାକୁ ଦାବି କରିଛି ଏବଂ ସେମାନେ ଏଫଆଇଆର ଦାଖଲ କରିବା ପରେ ଇଡି ସେହି ଅଭିଯୋଗକୁ ଦୃଷ୍ଟିରେ ରଖି ଏକ ନୂତନ ମନି ଲଣ୍ଡରିଂ ମାମଲା ରୁଜୁ କରିଛି।ଛତିଶଗଡ଼ରେ ବିକ୍ରି ହେଉଥିବା ପ୍ରତ୍ୟେକ ମଦ ବୋତଲରୁ ବେଆଇନ ଭାବେ ଟଙ୍କା ଆଦାୟ କରାଯାଇଥିଲା ଏବଂ ରାୟପୁର ମେୟର ଅନୱର ଧେବରଙ୍କ ବଡ଼ ଭାଇ ଅନୱର ଧେବରଙ୍କ ନେତୃତ୍ୱରେ ଏକ ମଦ ସିଣ୍ଡିକେଟ୍‌ ଦ୍ୱାରା ସୃଷ୍ଟି ହୋଇଥିବା ୨୦୦୦ କୋଟି ଟଙ୍କାର ‘ଅଭୂତପୂର୍ବ’ ଦୁର୍ନୀତି ଏବଂ ମନି ଲଣ୍ଡରିଂର ପ୍ରମାଣ ପଦାକୁ ଆସିଛି ବୋଲି ଇଡି ଅଭିଯୋଗ କରିଛି।