ନୂଆଦିଲ୍ଲୀ: ମାଫିଆ ଡନ୍ ମୁଖତାର ଅନସାରୀର ବ୍ୟବଚ୍ଛେଦ ପରେ ଶବକୁ ତାର ପୈତୃକ କବରସ୍ଥାନ କାଲିବାଗରେ ମା’ଙ୍କ କବର ନିକଟରେ ସୁପୁର୍ଦ-ଏ-ଖାକ କରାଯାଇଥିଲା। ଏହି ସମୟରେ ପ୍ରଶାସନ ଓ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।
ମାତ୍ର ମାଫିଆ ଡନ୍ ମୁଖତାର ଅନସାରୀର ଅନ୍ତିମ ସଂସ୍କାର ସମୟର ଅନେକ ଫଟୋ ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି କ୍ରମରେ ଉତ୍ତରପ୍ରଦେଶର ଚନ୍ଦୌଲି ପୁଲିସ ଷ୍ଟେସନରେ ନିୟୋଜିତ ଥିବା ଆଫତାପ ଆଲମ ନାମକ କନଷ୍ଟେବଳ ବି ମୁଖତାର ଅନସାରୀର ଅନ୍ତିମ ସଂସ୍କାର ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।
ଯାହାକି ଉତ୍ତରପ୍ରଦେଶ ପୁଲିସ ସୋସିଆଲ ମିଡିଆ ପଲିସି ୨୦୨୩ ଏବଂ ସରକାରୀ କର୍ମଚାରୀ ନିୟାବଳୀର ସ୍ପଷ୍ଟ ଉଲଂଘନ୍ନ ଥିଲା। ଯେଉଁ କାରଣରୁ ଆଫତାପ ଆଲମଙ୍କୁ ବରିଷ୍ଠ ପୁଲିସ ଅଧିକାରୀ ବିନୟ କୁମାର ସିଂ ନିଳମ୍ବନ କରିବା ସହିତ ଦ୍ବିତୀୟଥର ଏଭଳି ଭୁଲ ନକରିବାକୁ ଚେତାବନୀ ଦେଇଛନ୍ତି।ସେହିପରି ମୁଖତାର ଅନସାରୀର ସମର୍ଥନ କରି କନଷ୍ଟେବଳ ଫୟାଜ ଖାନ ହ୍ବାଟସ ଆପରେ ଏକ ଷ୍ଟୋଟସ ଦେଇଥିଲେ। ଯାହାର ସ୍କ୍ରିନସଟ ସୋସିଆଲ ମିଡିଆରେ ଘୁରିବୁଲିବା ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ମୁଖତାର ଅନସାରୀ ଜେଲରେ ଥିବା ବେଳେ ହୃଦଘାତର ଶିକାର ହୋଇଥିଲା। ଯେଉଁ କାରଣରୁ ତାର ମୃତ୍ୟୁ ହୋଇଯାଇଥିଲା। ବ୍ୟବଚ୍ଛେଦ ରିପୋର୍ଟରେ ବି ମାଫିଆ ଡନର ମୃତ୍ୟୁ ହୃତଘାତରେ ହୋଇଥିବା ଉଲ୍ଲେଖ ରହିଛି।