December 6, 2025 5:56 pm

ସୀମାନ୍ତ ଭୋଟରଙ୍କୁ ଆଖେଇଲାଣି ଆନ୍ଧ୍ର 

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ଓଡ଼ିଶାର ସୀମାନ୍ତ ଅଞ୍ଚଳରେ ରହୁଥିବା ଭୋଟରଙ୍କ ଉପରେ ଆନ୍ଧ୍ରର ଲୋଲୁପ ଦୃଷ୍ଟି । ସାଧାରଣ ନିର୍ବାଚନ ପାଇଁ ଏବେ ନେତା, ମନ୍ତ୍ରୀ ଲୋକଙ୍କ ନିକଟତର ହେବାରେ ବ୍ୟସ୍ତ ଥିବା ବେଳେ ଆନ୍ଧ୍ରର ନେତା-ମନ୍ତ୍ରୀ ଓ ପ୍ରଶାସନ ଏଥିରୁ ଦୁଇ ପାଦ ଆଗରେ । ନିର୍ବାଚନୀ ବୈତରଣୀ ପାର ହେବାପାଇଁ ଏବେ ସେମାନେ ଓଡ଼ିଶା ସୀମାନ୍ତ ଭୋଟରଙ୍କୁ ଆଖେଇଛନ୍ତି । ଏଥର ଗୋଟିଏ ପର୍ଯ୍ୟାୟରେ ବ୍ରହ୍ମପୁର ଲୋକସଭା ଆସନ ସହ ଆନ୍ଧ୍ରର ଗୋଟିଏ ଲୋକସଭା ପାଇଁ ମତଦାନ ହେବାକୁ ଥିବାରୁ ଆନ୍ଧ୍ରର ନେତା ମନ୍ତ୍ରୀମାନେ ଓଡ଼ିଶାର ଏହି ଭୋଟରମାନଙ୍କୁ ନିଜ ଆଡ଼କୁ ଆକୃଷ୍ଟ କରିବାରେ ଲାଗି ପଡ଼ିଛନ୍ତି । ଏହି ପ୍ରସଙ୍ଗକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିିଛି ।

ସୂଚନାନୁସାରେ, ଆସନ୍ତା ମଇ ୧୩ ତାରିଖରେ ଆନ୍ଧ୍ରର ଶ୍ରୀକାକୁଲମ୍ ଲୋକସଭା କ୍ଷେତ୍ର ସମେତ ବ୍ରହ୍ମପୁର ଲୋକସଭା ନିର୍ବାଚନୀ  ମଣ୍ଡଳୀର ମଧ୍ୟ ଭୋଟ ରହିଛି । ଏଥିଲାଗି ଆନ୍ଧ୍ରର କିଛି ନେତା ଓ କର୍ମୀ ଏବଂ ସେଠାକାର ପ୍ରଶାସନ ଏବଂ ସୀମାନ୍ତର କିଛି ଗ୍ରାମର ଭୋଟରଙ୍କ ନିକଟତର ହେବା ଆରମ୍ଭ କରିଦେଇଥିବା ସ୍ଥାନୀୟ ସୂତ୍ରରୁ ପ୍ରକାଶ । ବିଭିନ୍ନ ସମୟରେ ଭୋଟରଙ୍କୁ ଆକୃଷ୍ଟ କରିବାରେ ବ୍ୟସ୍ତ ଥିବା ଆନ୍ଧ୍ର ନେତା ଓ ପ୍ରଶାସନ ବିଭିନ୍ନ ଗ୍ରାମରେ ଆନ୍ଧ୍ର ସରକାରଙ୍କ ବିଭିନ୍ନ ଯୋଜନା ମଧ୍ୟ ପ୍ରଚାର କରୁଛନ୍ତି । ଏପରିିକି ବିଗତ ଦିନରେ ଆନ୍ଧ୍ର ସରକାରଙ୍କ ଯୋଜନାର କିଛି ପୋଷ୍ଟର ସୀମାନ୍ତ ଗ୍ରାମମାନଙ୍କରେ ଦେଖିବାକୁ ମିଳିଥିଲା ।

କିଛି ଲୋକ ସେଠାକାର ପ୍ରଶାସନ ଦ୍ୱାରା ସରକାରୀ ସହାୟତା ମଧ୍ୟ ପାଇଥିବା ଖବର ବହୁବାର ନଜରକୁ ଆସିଛି । ସୂଚନାନୁଯାୟୀ, ଗଞ୍ଜାମ ଜିଲ୍ଲା ସୀମନ୍ତରେ ଥିବା ପାତ୍ରପୁର ବ୍ଲକ୍ ଆନ୍ଧ୍ର ସୀମାକୁ ଲାଗି ରହିଛି । ଏଠାକାର ବହୁ ଗ୍ରାମରେ ଆନ୍ଧ୍ର ସରକାର ଓ ପ୍ରଶାସନ ସେମାନଙ୍କ ଲୋଲୁପ ଦୃଷ୍ଟି ଢ଼ାଳିଥିବା କଥା କାହାକୁ ଅଛପା ନାହିଁ । ଏପରିକି ପାତ୍ରପୁର ବ୍ଲକ୍‌ର ବୁରାତାଲ, ତୁମ୍ବା, ବି. ନୂଆଗାଁ ଆଦି ପଞ୍ଚାୟତର କିଛି ଗ୍ରାମରେ ଆନ୍ଧ୍ର ପ୍ରଶାସନ ଓ ସରକାରଙ୍କ ବେଆଇନ୍ ଅନୁପ୍ରବେଶ କଥା ମଧ୍ୟ ବିଗତ ଦିନରେ ଦେଖିବାକୁ ମିଳିଛି ।

ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହି ଅଞ୍ଚଳର ବହୁ ଭୋଟରଙ୍କ ଠାରେ ଦୁଇଟି ରାଜ୍ୟର ପ୍ରମାଣପତ୍ର ମଧ୍ୟ ରହିିଛି । କିଛି ଭୋଟର ଗତ ପଞ୍ଚାୟତ ନିର୍ବାଚନରେ ଆନ୍ଧ୍ରରେ ମଧ୍ୟ ମତଦାନ କରିଥିବା ଦେଖିବାକୁ ମିଳିଥିଲା । ଏଣୁ ଆନ୍ଧ୍ର ପ୍ରଦେଶର ପଞ୍ଚାୟତ ନିର୍ବାଚନ ଦିନ ଓଡ଼ିଶା ପ୍ରଶାସନ ସେଠାରେ ଡ଼େରା ପକାଇ ରହିଥିଲା । ହେଲେ ଚଳିତ ସାଧାରଣ ନିର୍ବାଚନରେ ସୀମାନ୍ତ ଭୋଟର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବାକୁ ଯାଉଛନ୍ତି । ଏମାନେ କେଉଁଠାରେ ମତଦାନ କରିବେ ସେନେଇ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ତେଣୁ ନିର୍ବାଚନ ଲାଗି ଉଭୟ ପୋଲିସ ଓ ପ୍ରଶାସନ ଆଗୁଆ ସଜାଗ ହୋଇ ସୀମାନ୍ତ ଉପରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମଧ୍ୟ ଦାବି ହୋଇଛି ।

ଗତ ୨୦୨୦ ମସିହା ଆନ୍ଧ୍ର ପ୍ରଦେଶ ପଞ୍ଚାୟତ ନିର୍ବାଚନରେ ତୁମ୍ବା ପଞ୍ଚାୟତର କୁଲାଡ଼ି ଗ୍ରାମର ଜଣେ ମହିଳା ୱାର୍ଡ଼ସଭ୍ୟ ଭାବେ ନାମାଙ୍କନ ଦାଖଲ କରିଥିବା ସେତେବେଳେ ଚର୍ଚ୍ଚା ଜୋର୍ ଧରିଥିଲା । ସେହିଭଳି ଇଚ୍ଛାପୁର ନିକଟସ୍ଥ ଓଡ଼ିଶାର ବି. ନୂଆଗାଁ ପଞ୍ଚାୟତ ଅଧୀନ କିଛି ଗ୍ରାମର ଭୋଟର ନିକଟସ୍ଥ ପଞ୍ଚାୟତରେ ମଧ୍ୟ ମତଦାନ କରିଥିବା ଦେଖିବାକୁ ମିଳିଥିଲା । ଅନ୍ୟ ଏକ ସୂତ୍ର ଅନୁଯାୟୀ, ପାତ୍ରପୁର ବ୍ଲକ୍ ଏକ ନିର୍ଦ୍ଦିଷ୍ଟ ଗ୍ରାମ ଆନ୍ଧ୍ରପ୍ରଦେଶର ମଞ୍ଜୁଷା ମଣ୍ଡଳ, ଗଜପତି ଜିଲ୍ଲାର ରାୟଗଡ଼ ବ୍ଲକ୍ ସମେତ ପାତ୍ରପୁର ବ୍ଲକ୍ ଅଧୀନରେ ଭିନ୍ନଭିନ୍ନ ନାମରେ ରହିଥିବା ସୂଚନା ମିଳିଛି । ଏଥିପ୍ରତି ପ୍ରଶାସନ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି । ଅନ୍ୟପକ୍ଷରେ ଓଡ଼ିଶା  ଭୋଟର ଓଡ଼ିଶାରେ ହିଁ କିଭଳି ମତଦାନ କରିବେ, ସେନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରାଯାଉଥିବା ସ୍ଥାନୀୟ କିଛି ନେତା କହିଛନ୍ତି । ଏ ସମ୍ପର୍କରେ ପ୍ରଶାସନିକ ସ୍ତରରେ ମତାମତ ମିଳିପାରିନାହିଁ ।