June 26, 2025 2:20 pm

ହ୍ରାସ ପାଉଛି ଗର୍ଭପାତ, ବୃଦ୍ଧି ପାଉଛି ଶିଶୁ କନ୍ୟାଙ୍କ ସଂଖ୍ୟା 

ଶାନ୍ତନୁ କୁମାର ରଣା

ବ୍ରହ୍ମପୁର: ବିଭିନ୍ନ କାରଣରୁ କେତେକ ପରିବାରରେ ତଥା ପିତାମାତା କନ୍ୟା ସନ୍ତାନ ଜନ୍ମକୁ ଇଚ୍ଛା ପ୍ରକାଶ କରୁନଥିବା ନଜିର ରହିଛି । ଫଳରେ ଗର୍ଭଧାରଣ ସମୟରେ ହିଁ ଗର୍ଭରେ ବଢୁଥିବା ଶିଶୁକନ୍ୟାକୁ ଗର୍ଭପାତ ଦ୍ୱାରା ନଷ୍ଟ କରିଥାନ୍ତି । ଯାହା ଫଳରେ ସମାଜରେ ପୁଅଙ୍କ ତୁଳନାରେ ଝିଅଙ୍କ ଅନୁପାତ ହ୍ରାସ ପାଉଛି । ଯାହା ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ । ଏହାକୁ ବିରୋଧ କରି ତଥା ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୫ ତାରିଖକୁ ଆନ୍ତର୍ଜାତୀୟ ଗର୍ଭସ୍ଥ ଶିଶୁ ଦିବସ ରୂପେ ପାଳନ କରାଯାଇଥାଏ ।

ମୁଖ୍ୟତଃ ଶିଶୁକନ୍ୟାଙ୍କର ମୂଲ୍ୟ ଏବଂ ମହତ୍ତ୍ୱ ସମ୍ପର୍କରେ ସମାଜରେ ସଚେତନତା ସୃଷ୍ଟି କରିବା ଓ ଗର୍ଭପାତକୁ ବିରୋଧ କରିବା ସହିତ ଶିଶୁକନ୍ୟାର ଅଧିକାରର ସୁରକ୍ଷାକୁ ପ୍ରୋତ୍ସାହିତ କରିବା । ଏହା ସହ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପକ୍ଷରୁ ଶିଶୁ କନ୍ୟାଙ୍କ ନିମନ୍ତେ ବିଭିନ୍ନ ଯୋଜନା ମଧ୍ୟ କାର୍ଯ୍ୟକାରୀ କରାଯାଉଛି । ଜିଲ୍ଲାରେ ୨୦୧୭ ମସିହା ଠାରୁ ମୋ ଗେହ୍ଲା ଝିଅ ଭଳି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ସେହିପରି ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ବିଜୁ କନ୍ୟାରତ୍ନ ଓ ବେଟି ବଚାଓ ବେଟି ପଢ଼ାଓ ଭଳି କାର୍ଯ୍ୟକ୍ରମ କରାଯାଉଛି ।

ଏଥି ସହିତ ଗର୍ଭଧାରଣ ଅବସ୍ଥାରେ ଲିଙ୍ଗ ନିରୂପଣ କରିବା ଓ ଗର୍ଭରେ ବଢୁଥିବା ଶିଶୁ କନ୍ୟାକୁ ନଷ୍ଟ କରିବା କ୍ଷେତ୍ରରେ ସରକାରଙ୍କ ଦ୍ୱାରା କଡ଼ା ଆଇନ୍ ପ୍ରଣୟନ କରାଯାଇଛି । ଏଥି ନିମନ୍ତେ ପିସି ଏଣ୍ଡ୍ ପିଏନ୍‌ଡ଼ିଟି ଆକ୍ଟ-୧୯୯୪ କାର୍ଯ୍ୟକାରୀ ହେଉଛି । ସରକାରଙ୍କ  ପକ୍ଷରୁ ତୃଣମୂଳ ସ୍ତରରେ ବିଭିନ୍ନ ମାଧ୍ୟମରେ ଲୋକଙ୍କ ମଧ୍ୟରେ ବ୍ୟାପକ ସଚେତନତା ସୃଷ୍ଟି କରାଯାଉଛି । ଫଳରେ କ୍ରମଶଃ ଏହା ଫଳପ୍ରଦ ହେବା ସହ ଶିଶୁକନ୍ୟାଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୨୦୨୨-୨୩ ବର୍ଷରେ ଜିଲ୍ଲାରେ ଝିଅଙ୍କ ସଂଖ୍ୟା ବୃଦ୍ଧି ପାଇଛି ।

ପ୍ରତ୍ୟେକ ଏକ ହଜାର ପୁଅରେ ଜିଲ୍ଲାରେ ଝିଅଙ୍କ ସଂଖ୍ୟା ୯୨୧କୁ ବୃଦ୍ଧି ପାଇଛି । ଜିଲ୍ଲାରେ ୩ଟି ବ୍ଲକ୍ ଯଥା କୁକୁଡ଼ାଖଣ୍ଡି, ଖଲ୍ଲିକୋଟ ଓ ଦିଗପହଣ୍ଡି ବ୍ଲକ୍‌ରେ ପୁଅଙ୍କ ଠାରୁ ଝିଅଙ୍କ ଅନୁପାତ ଅଧିକ ରହିିଛି । ମିଳିଥିବା ସୂଚନା ଅନୁଯାୟୀ ପ୍ରତି ହଜାର ପୁଅରେ କୁକୁଡ଼ାଖଣ୍ଡି ବ୍ଲକ୍‌ରେ ୧୦୪୯ ଝିଅ ଅଛନ୍ତି । ସେହିପରି ଖଲ୍ଲିକୋଟରେ ୧୦୧୪ ଓ ଦିଗପହଣ୍ଡି ୧୦୧୪ ଝିଅ ଅଛନ୍ତି । ପ୍ରତି ହଜାରେ ପୁଅରେ ପାତ୍ରପୁର ବ୍ଲକ୍‌ରେ ଝିଅ ସଂଖ୍ୟା ହଜାରେ ରହିଥିବା ବେଳେ ଆସିକାରେ ୯୮୮, ଚିକିଟୀରେ ୯୭୮, ଗଞ୍ଜାମରେ ୯୬୦, ଭଞ୍ଜନଗରରେ ୯୨୯, ଛତ୍ରପୁରରେ ୯୨୪, ବେଲଗୁଣ୍ଠାରେ ୯୨୩, ବ୍ରହ୍ମପୁର ମହାନଗର ନିଗମରେ ୯୧୮, ଧରାକୋଟରେ ୯୦୦, ରଙ୍ଗେଇଲୁଣ୍ଡାରେ ୮୯୧, ପୋଲସରାରେ ୮୮୯, ହିଞ୍ଜିଳିକାଟୁ ୮୮୨, ବୁଗୁଡ଼ାରେ ୮୭୬, ସାନଖେମୁଣ୍ଡିରେ ୮୭୫, ଜଗନ୍ନାଥପ୍ରସାଦରେ ୮୬୯, ଶେରଗଡ଼ରେ ୮୬୮, ସୋରଡ଼ାରେ ୮୬୮, ପୁରୁଷୋତ୍ତମପୁରରେ ୮୫୧ ଓ କବିସୂର୍ଯ୍ୟନଗରରେ  ଝିଅଙ୍କ ସଂଖ୍ୟା ୮୪୪ ରହିଛି ।

ହଜାରେ ପୁଅରେ କବିସୂର୍ଯ୍ୟନଗରରେ ଝିଅ ସଂଖ୍ୟା ସବୁ ଠାରୁ କମ୍ ରହିଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ଜଣାପଡ଼ିଛି । ସେହିପରି ୨୦୨୦ ମସିହାରେ ଗଞ୍ଜାମ ଜିଲ୍ଲାରେ ପ୍ରତି ହଜାରେ ପୁଅଙ୍କ ମଧ୍ୟରେ ୯୦୯ ଜଣ ଝିଅ ଥିବା ବେଳେ ୨୦୨୧ ମସିହାରେ ୮୯୭ ଜଣ ଝିଅ ରହିଥିଲେ । ଅନ୍ୟପକ୍ଷରେ ଜିଲ୍ଲାରେ ମୋଟ ୩୦ଟି ଘରୋଇ ଅଲ୍‌ଟ୍ରାସାଉଣ୍ଡ୍ କେନ୍ଦ୍ରକୁ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଅନୁମତି ଦିଆଯାଉଛି । ସେଥି ମଧ୍ୟରୁ ବ୍ରହ୍ମପୁର ସହରରେ ୨୧ଟି କେନ୍ଦ୍ର ଥିବା ବେଳେ ଜିଲ୍ଲାର ଅନ୍ୟ ସହରରେ ଅବଶିଷ୍ଟ୯ଟି କେନ୍ଦ୍ର ରହିଛି ।

ଏଥି ସହିତ କିଛି ବେଆଇନ୍ ଅଲ୍‌ଟ୍ରାସାଉଣ୍ଡ୍ କେନ୍ଦ୍ର ରହିଥିବା ନେଇ ମଧ୍ୟ ଅଭିଯୋଗ ରହିଛି । ଏହି କେନ୍ଦ୍ରଗୁଡ଼ିକରେ ଲିଙ୍ଗ ନିରୂପଣ କରାଯାଉଥିବା ଅଭିଯୋଗ ହେଉଛି । ଘରୋଇ ଅଲ୍‌ଟ୍ରାସାଉଣ୍ଡ୍ କେନ୍ଦ୍ରଗୁଡ଼ିକରେ ଲିଙ୍ଗ ନିରୂପଣ  ହେଉଥିବା ଅଭିଯୋଗ ଆଧାରରେ ବ୍ରହ୍ମପୁର ପୋଲିସ ଅନୁସନ୍ଧାନ କରିଥିଲା । ଗତ ୨୦୨୨ ମସିହାରେ ବ୍ରହ୍ମପୁର ଅଙ୍କୁଲି ଅଞ୍ଚଳରେ ଏକ ଭଡ଼ା ଘରେ ଚାଲିଥିବା ଆଲ୍‌ଟ୍ରାସାଉଣ୍ଡ କେନ୍ଦ୍ରକୁ ସିଲ୍ କରାଯାଇଥିଲା । ସମ୍ପୃକ୍ତ ଅଭିଯୁକ୍ତକୁ ସିସି ଏଣ୍ଡ୍ ପିଏନ୍‌ଡ଼ିଟି ଆକ୍ଟ-୧୯୯୪ ରେ ଗିରଫ କରାଯିବା ସହ ଏଥିରେ ବ୍ୟବହାର ହେଉଥିବା ପୋର୍ଟେବଲ୍ ଅଲ୍‌ଟ୍ରାସାଉଣ୍ଡ୍ ମେସିନ୍‌କୁ ଜବତ କରାଯାଇଥିଲା । ତଥାପି ଜିଲ୍ଲା ତଥା ସହରରେ ବର୍ତ୍ତମାନ ମଧ୍ୟ କିଛି ଘରୋଇ ଅଲ୍‌ଟ୍ରାସାଉଣ୍ଡ କେନ୍ଦ୍ରରେ ଲିଙ୍ଗ ନିରୁପଣ କରାଯାଉଥିବା ଅଭିଯୋଗ ହୋଇଛି । ତେବେ ଏହି ଘଟଣା ତଦନ୍ତ କରିବା ସହ ଏଭଳି ବେଆଇନ୍ ଅଲ୍‌ଟ୍ରାସାଉଣ୍ଡ୍ କେନ୍ଦ୍ର ଚଳାଉଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି ।