ଶାନ୍ତନୁ କୁମାର ରଣା
ଗୋପାଳପୁର/ବ୍ରହ୍ମପୁର: ଜାହାଜ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ପରିଚାଳିତ ହେଉଥିବା ଗୋପାଳପୁର ବତୀଘର ଆସନ୍ତା ଏପ୍ରିଲ୍ ୧ ତାରିଖ ଠାରୁ ପର୍ଯ୍ୟଟକଙ୍କ ପାଇଁ ଖୋଲାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି । ପର୍ଯ୍ୟଟକମାନେ ଧାର୍ଯ୍ୟ ଟିକଟ କ୍ରୟ କରି ପର୍ଯ୍ୟଟନ କେନ୍ଦ୍ର ଭାବେ ନୂଆ ରୂପ ନେଇଥିବା ଗୋପାଳପୁର ବତୀଘରକୁ ଦେଖିବା ସହ ଉପରେ ଚଢ଼ି ସମୁଦ୍ର ଓ ବେଳାଭୂମିର ସୌନ୍ଦର୍ଯ୍ୟକୁ ଉପଭୋଗ କରିପାରିବେ । ବତୀଘର ପରିସରରେ ପିଲାମାନଙ୍କ ନିମନ୍ତେ ସୁନ୍ଦର ଉଦ୍ୟାନ, ୱାଟର ଫାଉଣ୍ଡେନ୍ ଆଦି ରହିଛି, ଯାହା ପର୍ଯ୍ୟଟକଙ୍କୁ ଅଧିକ ଆକୃଷ୍ଟ କରିପାରିବ ।
ବତୀଘର ଉପରେ ଲାଗିଥିବା ରାଡ଼ାରକୁ ଚଳିତ ମାସ ଶେଷ ସୁଦ୍ଧା ଗେଟ୍ ନିକଟରେ ନୂତନ ଭାବେ ନିର୍ମାଣ କାର୍ଯ୍ୟ ଚାଲିଥିବା ଟାୱାର ନିକଟକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ମିଳିଛି । ଆଗାମୀ ଦିନରେ ବତୀଘର ଉପରକୁ ଯିବା ପାଇଁ ସିଢ଼ି ରାସ୍ତା ସହ ଲିଫ୍ଟ ବ୍ୟବସ୍ଥା କରାଯିବ ବୋଲି ସୂଚନା ମିଳିଛି । ସୂଚନା ଅନୁଯାୟୀ, ୧୮୭୧ ମସିହାରେ ଗୋପାଳପୁର ବତୀଘର ପ୍ରତିଷ୍ଠା ହୋଇଥିଲା । ବେଳାଭୂମି ଠାରୁ କିଛି ଦୂରରେ ଥିବା ଏକ ମୁଣ୍ଡିଆ ଉପରେ ଏହାକୁ ସ୍ଥାପନ କରାଯାଇଥିଲା । ୧୯୬୭ ଡ଼ିସେମ୍ବର ମାସରେ ବେଳାଭୂମି ନିକଟରେ ପ୍ରାୟ ତିନି ଏକର ପରିମିତ ଅଞ୍ଚଳକୁ ବତୀଘରକୁ ସ୍ଥାନାନ୍ତର କରାଯାଇଥିଲା ।
ଯାହାର ଉଚ୍ଚତା ସମୁଦ୍ର ପତ୍ତନ ଠାରୁ ପ୍ରାୟ ୪୫ ମିଟର ରହିଛି । ପୂର୍ବରୁ ପର୍ଯ୍ୟଟକଙ୍କୁ ଭିତରେ ବୁଲିବା ଓ ବତୀଘର ଚଢ଼ିବାରକୁ ଅନୁମତିି ଦିଆଯାଉଥିଲା । ୨୦୧୩ ମସିହା ଠାରୁ ସର୍ବସାଧାରଣଙ୍କ ପ୍ରବେଶ ଉପରେ କଟକଣା ଲଗାଇ ଦିଆଯାଇଥିଲା । ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପରେ ସୁରକ୍ଷାକୁ ନଜରରେ ରଖି ସାମୁଦ୍ରିକ ପଥ ଉପରେ କଡ଼ା ନଜର ରଖିବା ପାଇଁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ପ୍ରକାରେ ୨୦୧୩ ମସିହାରେ ବତୀଘର ଉପରେ ଏକ ରାଡ଼ାର ଖଞ୍ଜାଯାଇଥିଲା । ରାଡ଼ାର ଉପରେ ଲାଗିଥିବା ଲାଇଟ୍ଟି ପ୍ରାୟ ୨୬ ନଟିକାଲ୍ ମାଇଲ୍ ପର୍ଯ୍ୟନ୍ତ ଦୃଶ୍ୟମାନ ହେଉଥିବା ଯୋଗୁଁ ଏହା ମତ୍ସ୍ୟଜୀବୀ ଏବଂ ଜାହାଜକୁ ଦିଗଦର୍ଶନ କରି ଆସୁଛି । ବିଶେଷ କରି ଏହି ବତୀଘରଟି ସ୍ଥାନୀୟ ମତ୍ସ୍ୟଜୀବୀଙ୍କୁ ବେଶ୍ ସହାୟତା ହୋଇ ଆସୁଛି । ସମ୍ପ୍ରତି ବିଭାଗୀୟ କର୍ତ୍ତୃପକ୍ଷ ପର୍ଯ୍ୟଟକଙ୍କ ପାଇଁ ବତୀଘର ଖୋଲିବାକୁ ନିଷ୍ପତ୍ତି ନେଇଥିବାରୁ ସାଧାରଣରେ ବେଶ୍ ଉତ୍ସାହ ପ୍ରକାଶ ପାଇଛି ।