କୋଲକାତା: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଶନିବାର କୋଲକାତା ସମେତ ବିଭିନ୍ନ ସ୍ଥାନରେ ତୃଣମୂଳ କଂଗ୍ରେସ (ଟିଏମସି)ର ପୂର୍ବତନ ସାଂସଦ ମହୁଆ ମୈତ୍ରଙ୍କ ଘରେ ଚଢ଼ାଉ କରିଛି। ଟଙ୍କାନେଇ ପଚରାଉଚରା ମାମଲାରେ ସିବିଆଇ ଟିମ ଏହି ରେଡ କରିଛି। ଟିଏମସି ପକ୍ଷରୁ କୁହାଯାଇଛି ଏହା ବିଜେପିର ଏକ ପ୍ରତିଶୋଧମୂଳକ ପଦକ୍ଷେପ।
ମହୁଆଙ୍କ ବାସଭବନରେ ଚାଲିଥିବା ସିବିଆଇ ଚଢ଼ାଉକୁ ପ୍ରତିଶୋଧମୂଳକ ରାଜନୀତି ଏବଂ ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ଏଜେନ୍ସିଗୁଡ଼ିକର ଅପବ୍ୟବହାର ପାଇଁ ବିଜେପିର ଏକ ନିଷ୍ଠୁର ଷଡ଼ଯନ୍ତ୍ର ବୋଲି କହିଛନ୍ତି ଟିଏମସି ନେତା ଶାନ୍ତନୁ ସେନ । ଦେଶର ବିଭିନ୍ନ ପ୍ରସଙ୍ଗରୁ ଧ୍ୟାନ ହଟାଇବାକୁ ବିଜେପି ଏହା କରୁଛି ବୋଲି ସେ କହିଛନ୍ତି । ତେବେ ବିଜେପି ଏହି ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ।
ଶନିବାର ସକାଳେ ସିବିଆଇର ଏକ ଟିମ୍ କୋଲକାତା ଏବଂ ଅନ୍ୟାନ୍ୟ ସହରରେ ଥିବା ମହୁଆ ମିତ୍ର ପରିସରରେ ପହଞ୍ଚି ସର୍ଚ୍ଚ ପ୍ରକ୍ରିୟା ସମ୍ପର୍କରେ ସୂଚନା ଦେବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି। ଲୋକପାଳଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ଗୁରୁବାର ମୈତ୍ରଙ୍କ ବିରୋଧରେ ଏତଲା ରୁଜୁ କରିଥିଲା। ଲୋକପାଳ ଏଜେନ୍ସିକୁ ୬ ମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅନୈତିକ ଆଚରଣ ପାଇଁ ମୈତ୍ରଙ୍କୁ ଡିସେମ୍ବରମାସରେ ଲୋକସଭାରୁ ବହିଷ୍କାର କରାଯାଇଥିଲା।