ସୁରେଶ ସ୍ଵାଇଁ ତୃତୀୟ ଥର ପାଇଁ ସମ୍ପାଦକ ପଦବୀରେ ରହିଲେ
ଭୁବନେଶ୍ବର: ୨୦୨୪-୨୬ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସଂଘ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍ଜା)ର ନୂଆ କର୍ମକର୍ତ୍ତା ନିର୍ବାଚନ ପ୍ରକ୍ରିୟା ଆଜି ସମାପ୍ତ ହୋଇଛି। ସନ୍ଦୀପ ମିଶ୍ର ସଭାପତି ଭାବେ ପୁନଃ ନିର୍ବାଚିତ ହୋଇଥିବା ବେଳେ ସମ୍ବିତ ମହାପାତ୍ର ନୂଆ କାର୍ଯ୍ୟକାରୀ ସଭାପତି ରୂପେ ନିର୍ବାଚିତ ହୋଇଛନ୍ତି। ସେହିପରି ସୁରେଶ ସ୍ଵାଇଁ ତୃତୀୟ ଥର ପାଇଁ ସମ୍ପାଦକ ପଦକୁ ଫେରିଛନ୍ତି।
ଭାରତୀୟ କ୍ରୀଡ଼ା ସାମ୍ବାଦିକ ସଂଘ (ଏସ୍ଜେଏଫଆଇ)ର ଏକମାତ୍ର ଅନୁବନ୍ଧିତ ଓସ୍ଜାର ୧୧ଶ ପ୍ରତିଷ୍ଠା ଦିବସ ଅବସରରେ ଏହାର ବାର୍ଷିକ ସାଧାରଣ ପରିଷଦ ବୈଠକ (ଏଜିଏମ୍) ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଓସ୍ଜାର ନୂଆ କର୍ମକର୍ତ୍ତା ନିର୍ବାଚନ ହୋଇଥିଲେ।
ସେହିପରି ଦେବାଶିଷ ସୁନ୍ଦରାୟ କୋଷାଧ୍ୟକ୍ଷ ଭାବେ ପୁନଃ ନିର୍ବାଚିତ ହୋଇଛନ୍ତି। ଦେବୀ ପ୍ରସନ୍ନ ମହାନ୍ତି, ତପନ କୁମାର ସ୍ବାଇଁ, ସମୀକ୍ଷା ପଟ୍ଟନାୟକ ଉପସଭାପତି, ହିମାଂଶୁ ପତି ମିଶ୍ର, ସଞ୍ଜୀବ କୁମାର ବିଶ୍ଵାଳ, ଜ୍ଞାନରଞ୍ଜନ ମିଶ୍ର ଯୁଗ୍ମ ସମ୍ପାଦକ ହୋଇଛନ୍ତି। କାର୍ଯ୍ୟକାରୀ କମିଟିକୁ କେ. ରବି, ସନାତନ ପାଣି, ନିରଞ୍ଜନ ରେଡ୍ଡୀ, ଶକ୍ତିପ୍ରସାଦ ନନ୍ଦ, ମନୋରଞ୍ଜନ ଦାଶ, ଦୀପ୍ତିରଞ୍ଜନ ସାମଲ, ବିମଳ କୁମାର ରାଉଳ ନିର୍ବାଚିତ ହୋଇଛନ୍ତି।
ବୈଠକରେ ସଂଘର ୨ ନିୟମିତ କାର୍ଯ୍ୟକ୍ରମ ପୁରସ୍କାର ପ୍ରଦାନ ଉତ୍ସବ ଓ ବିଶ୍ବ କ୍ରୀଡ଼ା ସାମ୍ବାଦିକତା ଦିବସରେ ସ୍ମରଣିକା ପ୍ରକାଶନକୁ ଜାରି ରଖିବାକୁ ନିଷ୍ପତ୍ତି ହୋଇଥିଲା। ଏକ ଆଞ୍ଚଳିକ କ୍ରୀଡ଼ା ସାମ୍ବାଦିକଙ୍କ କର୍ମଶାଳା ପାଇଁ ମଧ୍ୟ ପ୍ରସ୍ତାବ ଆଗତ ହୋଇଥିଲା। ସେହିପରି ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଯୋଜନା ଓ ଆୟବ୍ୟୟ ଅଟକଳ ପ୍ରସ୍ତୁତ କରା ଯାଇଥିଲା।