May 30, 2026 10:12 pm

ମମତା ବାନାର୍ଜୀଙ୍କ ଭାଇ କଲେ ବିଦ୍ରୋହ, ବିଜେପିରେ ସାମିଲ ହୋଇପାରନ୍ତି 

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଭାଇ ବୁବୁନ ବାନାର୍ଜୀଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛନ୍ତି। ବୁବୁନ ହାୱଡ଼ାରୁ ଲୋକସଭାରୁ ନିର୍ବାଚନ ଲଢ଼ିବା ପାଇଁ ଘୋଷଣା କରିବା ପରେ ମମତା ଏଭଳି ପଦକ୍ଷେପ ନେଇଛନ୍ତି।  ଯଦିଓ ତାଙ୍କ ଭାଇ  କୌଣସି ଦଳରୁ ନିର୍ବାଚନ ଲଢିବେ ବୋଲି  ପ୍ରକାଶ କରି ନାହାନ୍ତି ତେବେ ସେ ବିଜେପି ଟିକେଟରେ ନିର୍ବାଚନ ମଇଦାନକୁ ଓହ୍ଲାଇବେ ବୋଲି ଶୁଣାଯାଉଛି। 

ଏହି ପରିପ୍ରେକ୍ଷୀରେ ମମତା କହିଛନ୍ତି ବୁବୁନ ଏବେ ଆଉ ମୋର ଭାଇ ନୁହନ୍ତି। ମୁଁ ବୁବୁନଙ୍କ ସହ ସମସ୍ତ ସମ୍ପର୍କ ତୁଟାଇ ଦେଇଛି। ବୁବୁନ ଭୁଲି ଯାଇଛନ୍ତି ଆମ ପିତାଙ୍କ ମୃତ୍ୟୁ ପରେ ତାଙ୍କର ଲାଳନପାଳନ କିପରି ହୋଇଥିଲା ତାହା ସେ ଭୁଲି ଯାଇଛନ୍ତି। ବୁବୁନ ‌ସେତେବେଳେ ଅଢ଼େଇ ବର୍ଷର ଥିଲେ। ମୁଁ ମାସକୁ ୩୫ ଟଙ୍କା ରୋଜଗାର କରୁଥିଲି। ଏଥିରେ ଆମେ ଚଳୁଥିଲୁ।

ବିଜେପି ଆଇଟି ସେଲର ମୁଖ୍ୟ ଅମିତ ମାଲବ୍ୟ ଏନେଇ ମମତାଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ କହିଛନ୍ତି। ଦିଦିଙ୍କର ଏବେ ନିଜ ସରକାର ଏବଂ ପାର୍ଟି ଉପରେ ନିୟନ୍ତ୍ରଣ ନାହିଁ। ଏବେ ତାଙ୍କର ନିଜ ଭାଇ ଟିଏମସି ବିରୋଧରେ ବିଦ୍ରୋହ କରିଛନ୍ତି। ସେ ଟିଏମସି ପ୍ରାର୍ଥୀ ପ୍ରସୂନ ବାନାର୍ଜୀଙ୍କ ପ୍ରାର୍ଥୀତ୍ବ ନେଇ ଅସହମତି ପ୍ରକାଶ କରିଛନ୍ତି। ମମତା ଅଭିଷେକ ବାନାର୍ଜୀଙ୍କୁ ପ୍ରାଥମିକତା ଦେବାର ଏହା ପରିଣାମ।

ଟିଏମସି ଦ୍ବାରା ପ୍ରକାଶିତ ପ୍ରାର୍ଥୀ ତାଲିକାରେ ୧୬ ସିଟିଂ ସାଂସଦଙ୍କ ମଧ୍ୟରୁ ୭ ଜଣଙ୍କର ଟିକେଟ କଟା ଯାଇଛି। ଏହା ଦ୍ବାରା ଦଳରେ ଅସନ୍ତୋଷ ବଢ଼ିବାରେ ଲାଗିଛି। କେତେକ କର୍ମୀ ଏହି ନିଷ୍ପତ୍ତିକୁ ବିରୋଧ କରୁଥିବା ରାଜ୍ୟ ରାଜନୀତିରେ ଚର୍ଚ୍ଚା ହେଉଛି।