February 26, 2026 2:34 pm

ମିଶନ ଶକ୍ତି ସପୋର୍ଟ ଷ୍ଟାଫ ଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି 

ଅକ୍ଟୋବର ୨୦୨୩ରୁ ପିଛିଲା ଭାବରେ ବର୍ଦ୍ଧିତ ରାଶି ମିଳିବ 

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ପ୍ରୋତ୍ସାହନ ରାଶି ବୃଦ୍ଧି ହେବା ନେଇ ଘୋଷଣା କରିଛନ୍ତି । ସରକାରଙ୍କ ଏହି ପ୍ରୋତ୍ସାହନ ଅର୍ଥରାଶି ବୃଦ୍ଧି ଯୋଗୁଁ ମିଶନ ଶକ୍ତିର ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଉପକୃତ ହେବେ । ରାଜ୍ୟରେ ମହିଳା ସଶକ୍ତିକରଣରେ ମିଶନ ଶକ୍ତିର କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନଙ୍କର ଅତୁଳନୀୟ ଅବଦାନ କୁ ସମ୍ମାନ ଜଣାଇବା ସହ ସେମାନଙ୍କୁ ଉତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୋତ୍ସାହନ ରାଶି ରେ ବୃଦ୍ଧି ଘୋଷଣା କରିଛନ୍ତି।

ମିଶନ ଶକ୍ତି ଅଧୀନରେ ୫୯,୫୦୯ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ଯଥା MBK, CRP-CM, ବ୍ୟାଙ୍କ ମିତ୍ର, ପ୍ରାଣୀ ମିତ୍ର, କୃଷି ମିତ୍ର ଓ ଜୀବିକା ସହାୟିକା କାର୍ଯ୍ୟରତ ଅଛନ୍ତି । ଏହି ନୂତନ ଘୋଷଣା ଅନୁଯାୟୀ ମିଶନ ଶକ୍ତି ଅଧୀନରେ ଗ୍ରାମପଞ୍ଚାୟତ ସ୍ତରରେ କାର୍ଯ୍ୟରତ ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ଉପକୃତ ହେବେ । ଉକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ୨୦୨୩ ମସିହା ଅକ୍ଟୋବର ମାସଠାରୁ ପିଛିଲାଭାବେ ନିମ୍ନମତେ ଲାଗୁ କରାଯିବ ।

• MBK, ବ୍ୟାଙ୍କ ମିତ୍ର ଏବଂ ଜୀବିକା ସହାୟିକା ମାନେ ମାସିକ ୬,୭୫୦ ଟଙ୍କା ରୁ ୧୦,୭୫୦ ଟଙ୍କା ପାଇବେ ।
• କୃଷି ମିତ୍ର ଓ ପ୍ରାଣୀ ମିତ୍ର ମାସିକ ୩,୭୫୦ ଟଙ୍କା ପରିବର୍ତ୍ତେ ମୋଟ ୬,୨୫୦ ଟଙ୍କା ପାଇବେ ।
• CRP-CM ଏବେ ମାସକୁ ମୋଟ ୩୬୦୦ ଟଙ୍କା ପରିବର୍ତ୍ତେ ୬୧୦୦ ଟଙ୍କା ପାଇବେ ।

ଉପରୋକ୍ତ ବର୍ଦ୍ଧିତ ପ୍ରୋତ୍ସାହନ ରାଶି ପିଛିଲା ଭାବେ ଅକ୍ଟୋବର,୨୦୨୩ ରୁ ପ୍ରଦାନ କରାଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ବେଳେ ଏ ବାବଦକୁ ରାଜ୍ୟ ସରକାର ୯୬.୫୧ କୋଟି ଅତିରିକ୍ତ ଅର୍ଥ ରାଶିର ବ୍ୟୟ ବରାଦ କରିଛନ୍ତି ।

ସୂଚନାଯୋଗ୍ୟ ଯେ ୫-ଟି ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ କମ୍ୟୁନିଟି ସପୋର୍ଟ ଷ୍ଟାଫ୍ ମାନେ ତାଙ୍କୁ ଭେଟି ସେମାନଙ୍କ ପ୍ରୋତ୍ସାହନ ରାଶି ବୃଦ୍ଧି ବିଷୟରେ ତାଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।