June 26, 2025 2:32 pm

ଇଂଲଣ୍ଡ୍-ଭାରତ ୫ମ ଟେଷ୍ଟ୍ ବର୍ଷା ଦ୍ଵାରା ବାଧାପ୍ରାପ୍ତ ହେବାର ଆଶଙ୍କା 

ଧର୍ମଶାଳା: ବର୍ଷା ଦ୍ଵାରା ବାଧାପ୍ରାପ୍ତ  ହୋଇପାରେ ଭାରତ ଏବଂ ଇଂଲଣ୍ଡ୍ ମଧ୍ୟରେ ମାର୍ଚ୍ଚ ୭ରେ ଖେଳାଯିବାକୁ ଥିବା ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍।  ହିମାଚଳପ୍ରଦେଶର ଧର୍ମଶାଳାର ହିମାଚଳ କ୍ରିକେଟ ଆସୋସିଏସନ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଧୋଇ ହୋଇ ଯିବାର ଆଶଙ୍କା ସୃଷ୍ଟି ହୋଇଛି। ମ୍ୟାଚ୍ ପୂର୍ବରୁ ପାଣିପାଗ ବିଭାଗ ଦ୍ବାରା ଜାରି ହୋଇଥିବା ପୂର୍ବାନୁମାନ ରିପୋର୍ଟରୁ ଜଣାପଡ଼ିଛି ବର୍ଷା ଯୋଗୁ ମ୍ୟାଚ୍ ବାଧା ସୃଷ୍ଟି ହୋଇପାରେ। ପାଣିପାଗ ବିଭାଗ କହିଛି ଏଠାରେ ବର୍ଷା ସହିତ କୁଆପଥର ବର୍ଷିବାର ସମ୍ଭାବନା ରହିଛି।

ବିବିସି ଫୋରକାଷ୍ଟ ଅନୁସାରେ ଧର୍ମଶାଳାର ତାପମାତ୍ରା ରାତିରେ ମାଇନସ୍ ୪ ଡିଗ୍ରୀ ସେଲସିୟସ ରହିପାରେ। ତେବେ ଦିନର ତାପମାତ୍ରା ୧ ଡିଗ୍ରୀ ସେଲସିୟସ ରହିପାରେ।
ଆକ୍ୟୁ ୱେଦର ୱେବସାଇଟ୍ ଅନୁସାରେ ମ୍ୟାଚ୍ ଆରମ୍ଭ ହେବା ଦିନ ଆକାଶରେ କଳାବାଦଲ ଛାଇ ରହିବାର ସମ୍ଭାବନା ରହିଛି। ଏହା ସହିତ ପରିବେଶ ଥଣ୍ଡା ରହିବ। ବର୍ଷା ହେବା ସହିତ ବଜ୍ରପାତ ଲାଗି ରହିବ। ମ୍ୟାଚ୍ ଆରମ୍ଭର ଦୁଇଦିନ ପର୍ଯ୍ୟନ୍ତ ବର୍ଷା ହେବା ସହିତ କୁଆପଥର ମାଡ଼ ହେବାର ସମ୍ଭାବନା ରହିଛି।
ସ୍ଥାନୀୟ ଥଣ୍ଡା ପରିବେଶ ଇଂଲଣ୍ଡ୍ ର ପାଣିପାଗ ଭଳି ରହିବ। ତେଣୁ ଟିମ୍ ଇଂଲଣ୍ଡ୍ କୁ ଖେଳିବାରେ ଅସୁବିଧା ହେବ ନାହିଁ। ଭାରତ ସିରିଜ ନିଜ ନାମରେ କରିଥିବାବେଳେ ଶେଷ ମ୍ୟାଚ୍ ଜିତିବାକୁ ବେନ୍ ‌ଷ୍ଟୋକସଙ୍କ ଟିମ୍ ପ୍ରୟାସ କରିବ। ମ୍ୟାଚ୍ ପୂର୍ବାହ୍ନ ସାଢ଼େ ୯ଟାରେ ଆରମ୍ଭ ହେବ। ଏହାର ଲାଇଭ୍ ଷ୍ଟ୍ରିମିଂ ଜିଓ ସିନେମା ଆପରେ ହେବ। ଏହା ସହିତ ଲାଇଭ୍ ପ୍ରସାରଣ ସ୍ପୋର୍ଟସ ୧୮ ନେଟୱାର୍କରେ କରାଯିବ।