ଭୁବନେଶ୍ୱର: ସାଧାରଣ ନିର୍ବାଚନ ଆଉ ପାଖାପାଖି ମାସଟିଏ ବାକି ଥିବାବେଳେ ଏଥର ୧୨୦ରୁ ଊର୍ଦ୍ଧ୍ଵ ବିଧାନସଭା ଏବଂ ୧୭ ରୁ ଊର୍ଦ୍ଧ୍ଵ ଲୋକସଭା ଆସନରେ ବିଜୁ ଜନତା ଦଳ ଜିତିବା ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ରାଷ୍ଟ୍ରୀୟ ମୁଖପାତ୍ର ଡ. ସସ୍ମିତ୍ ପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନକଲ୍ୟାଣକାରୀ କାର୍ଯ୍ୟକ୍ରମ ଏବଂ ୫-ଟି ପ୍ରକରଣରେ ସାରା ରାଜ୍ୟରେ ଚାଲିଥିବା ରୂପାନ୍ତରଣ କାର୍ଯ୍ୟ ଯୋଗୁଁ ବିଜେଡି ରାଜନୈତିକ ଦୃଷ୍ଟିକୋଣରୁ ଅତ୍ୟନ୍ତ ଦୃଢ଼ ସ୍ଥାନରେ ରହିଛି ବୋଲି ସେ କହିଛନ୍ତି ।
ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର କହିଛନ୍ତି ଯେ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କୁ ବିପୁଳ ଆଶୀର୍ବାଦ କରିବା ସହ ରେକର୍ଡ ସଂଖ୍ୟକ ଆସନରେ ଜିତାଇବାକୁ ସାଢ଼େ ୪ କୋଟି ଓଡ଼ିଶାବାସୀ ମନସ୍ଥିର କରିସାରିଲେଣି । ଅପରପକ୍ଷେ, ଯେଉଁମାନେ ଜନବିରୋଧୀ କାର୍ଯ୍ୟ କରି ବିଜେଡିରୁ ବିଦା ହୋଇଛନ୍ତି ଏବଂ ଆଗାମୀ ନିର୍ବାଚନରେ ଯେଉଁମାନଙ୍କର ଟିକେଟ୍ ପାଇବାର ସମ୍ଭାବନା ନାହିଁ କିମ୍ବା ଯେଉଁମାନଙ୍କର ଭବିଷ୍ୟତ ବିଜେଡିରେ ନାହିଁ, ସେମାନଙ୍କୁ ଓଡିଶା ବିଜେପି ପାଛୋଟି ନେଉଛି ।
ଏହାର କାରଣ ହେଉଛି, ରାଜ୍ୟ ବିଜେପି ପାଖରେ ୧୪୭ ବିଧାନସଭା ଆସନ ଏବଂ ୨୧ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ନାହାନ୍ତି । ବିଜୁ ଜନତା ଦଳ ସବୁବେଳେ ଜନତାଙ୍କ ପାଇଁ ନିରନ୍ତର କାର୍ଯ୍ୟ କରି ଚାଲିଛି, ଜନତାଙ୍କ ସହ ରହିଛି ଏବଂ ଆଗାମୀ ଦିନରେ ମଧ୍ୟ ରହିବ ବୋଲି ଡ. ପାତ୍ର କହିଛନ୍ତି ।