December 6, 2025 12:44 pm

ଗଞ୍ଜାମ ବିଜେପିରେ ପ୍ରଦୀପ ଇନ୍‌ର ଇଫେକ୍ଟ 

ଶାନ୍ତନୁ ରଣା

  • ଘରେ ନ ପଶୁଣୁ ବାଜିଲା ଚାଳ, ବିଜେପି ଚାରି ଫାଳ

ବ୍ରହ୍ମପୁର: ବିଭିନ୍ନ ଗଣମାଧ୍ୟମରେ ଚର୍ଚ୍ଚାର ଶିରୋନାମା ପାଲଟିଥିବା ଗୋପାଳପୁର ବିଧାୟକ ଡ଼. ପ୍ରଦୀପ ପାଣିଗ୍ରାହୀଙ୍କୁ ନେଇ ଆରମ୍ଭରୁ ବିଜେପିରେ ବିଦ୍ରୋହ ଦେଖାଦେଲାଣି । ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ବିଜେଡ଼ିରୁ ବିତାଡ଼ିତ ଗୋପାଳପୁର ବିଧାୟକ ଡ଼. ପାଣିଗ୍ରାହୀ ପ୍ରଥମେ ଭୁବନେଶ୍ୱର ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ଯୋଗଦାନ କରିଥିବା ବେଳେ ବ୍ରହ୍ମପୁରରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଆଗମନ ବେଳେ ଅତି ନିକଟତର ହୋଇଥିବା ଦେଖିବାକୁ ମିଳିଥିଲା । 

ତେବେ ଡ଼. ପ୍ରଦୀପ ପାଣିଗ୍ରାହୀଙ୍କର ଆଗମନ ବିଜେପିର ଛାମୁଆ ସଙ୍ଗଠନର ନେତାମାନେ ବରଦାସ୍ତ କରିପାରିନାହାନ୍ତି । ବ୍ରହ୍ମପୁର ମହାନଗର ନିଗମର ୭ ଜଣ ବିଜେପି କର୍ପୋରେଟରଙ୍କ ମଧ୍ୟରୁ ୪ ଜଣ ଦଳ ତ୍ୟାଗ କରି ବିଜେଡ଼ିରେ ଯୋଗଦାନ କରିଛନ୍ତି ।

୨୬ ତାରିଖରେ ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା ଓ ବିଜେଡ଼ି ଜିଲ୍ଲା ସଭାପତିି ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ନେତୃତ୍ୱରେ ୪ ଜଣ କର୍ପୋରେଟର ନୀଳକଣ୍ଠ ସାହୁ, ରଞ୍ଜିତା ବେହେରା, ଡ଼ି. କରୁଣାକର ଓ ବିଟୁ ଶତପଥୀ ୫-ଟି ଅଧ୍ୟକ୍ଷଙ୍କୁ ଭେଟି ବିଜେଡ଼ିରେ ଯୋଗଦାନ କରିଥିବା ବେଳେ ଆଜି ବ୍ରହ୍ମପୁର ମିଲିଟାରୀ ଲାଇନ୍‌ ବଙ୍ଗାଳି ସାହିସ୍ଥିତ ଏକ କଲ୍ୟାଣ ମଣ୍ଡପରେ ବିଧିବଦ୍ଧ ଭାବେ ଯୋଗଦାନର ଘୋଷଣା କରିଛନ୍ତି ।

ଏଥିରେ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ, ବିଜେଡ଼ି ଜିଲ୍ଲା ସଭାପତି ଡ଼ା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବ୍ରହ୍ମପୁର ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ବିକ୍ରମ କୁମାର ପଣ୍ଡା, ମେୟର ସଂଘମିତ୍ରା ଦଳେଇ, ବିଜେଡ଼ି ନେତା ସୁବାଷ ମହାରଣା ୪ ଜଣ କର୍ପୋରେଟରଙ୍କୁ ସ୍ୱାଗତ କରିଥିବା ବେଳେ ଦଳ ବଦଳକୁ ନେଇ ବ୍ରହ୍ମପୁର ରାଜନୀତି ସରଗରମ ହୋଇ ଉଠିଛି । 

ତେବେ ବିଜେପି ତାଙ୍କୁ ଅଣଦେଖା କରିବା ସହ ଡ଼. ପ୍ରଦୀପ ପାଣିଗ୍ରାହୀଙ୍କ ଭଳି ଜଣେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ବିଜେପିରେ ସାମିଲ କରିବାରୁ ଦଳ ଛାଡ଼ିଲୁ ବୋଲି କହିଛନ୍ତି ୪ କର୍ପୋରେଟର । ବ୍ରହ୍ମପୁର ମହାନଗର ନିଗମରେ ୪୨ ୱାର୍ଡ଼ରୁ ବହୁ କଷ୍ଟରେ ୭ ବିଜେପି ଆସନ ପାଇଥିବା ବେଳେ ବର୍ତ୍ତମାନ ତାହା ୩ କୁ ଖସି ଆସିଛି । ଅନ୍ୟପଟେ ଏହି ଗୋଟି ଚାଳନା ପଛରେ ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଶ୍ରେୟ ଦେଉଛନ୍ତି ବହୁ ବିଜେଡ଼ି କର୍ମୀ ।