April 12, 2026 11:41 pm

ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ୍‌ ଦର ହ୍ରାସ

ଭୁବନେଶ୍ୱର: ଓଡ଼ିଶା ଇଲେକ୍ଟ୍ରିସିଟି ରେଗୁଲେଟରି କମିସନ (ଓଇଆରସି) ଆଜି ଘରୋଇ ଉପଭୋକ୍ତାଙ୍କ ପାଇଁ ବିଜୁଳି ଦର ହ୍ରାସ କରିଛନ୍ତି। ଗ୍ରୀଷ୍ମଋତୁ ଅବ୍ୟବହିତ ପୂର୍ବରୁ ଘରୋଇ ଉପଭୋକ୍ତାଙ୍କ ପାଇଁ ଏହା ଏକ ଖୁସି ଖବର ଆସିଛି। ଗ୍ରୀଷ୍ମଦିନରେ ଏସି ଓ କୁଲରର ବ୍ୟବହାର ଯୋଗୁଁ ବିଦ୍ୟୁତ୍‌ ବିଲ୍‌ ଅଧିକ ଆସିବା ନେଇ ଚିନ୍ତାରୁ ସାମାନ୍ୟ ଆଶ୍ବସ୍ତି ମିଳିବ ବୋଲି ଆଶା କରାଯାଏ । 

ଘରୋଇ ଉପଭୋକ୍ତାଙ୍କ ପାଇଁ ପ୍ରତ୍ୟେକ ସ୍ଲାବରେ ୧୦ ପଇସା ହ୍ରାସ ହେବ ବୋଲି ଓଇଆରସି କହିଛନ୍ତି। ଘରୋଇ ବ୍ୟତୀତ ଅନ୍ୟ ସମସ୍ତ କାଟାଗରିରେ ଦର ଅପରିବର୍ତ୍ତିତ ରହିବ। ସେହିପରି ବିପିଏଲ୍‌ ଉପଭୋକ୍ତାଙ୍କ ପାଇଁ ମାସିକ ଦେୟ ୮୦ରୁ ୭୦ ଟଙ୍କାକୁ ହ୍ରାସ ପାଇବ। କାଗଜ ଛାଡ଼ି ଯେଉଁ ଉପଭୋକ୍ତା ଇ-ବିଲ ନେବେ, ସେମାନଙ୍କୁ ୧୦ ଟଙ୍କା ରିହାତି ମିଳିବ। 

ସେହିପରି ଶୀତଳଭଣ୍ଡାର ପାଇଁ ୟୁନିଟ୍ ପିଛା ୧ ଟଙ୍କା ୬୦ ପଇସା ହ୍ରାସ କରାଯାଇଛି ଏବଂ ଧାର୍ଯ୍ୟ ସମୟରେ ବିଲ୍ ପୈଠ କଲେ ୧୦ ପଇସା ରିହାତି ମିଳିବ। ପ୍ରିପେଡ୍ ମିଟର ଉପଭୋକ୍ତାଙ୍କୁ ମଧ୍ୟ ୪ ପ୍ରତିଶତ ରିହାତି ମିଳିବ ବୋଲି ସୂଚନା ଦିଆଯାଇଛି।