June 26, 2025 7:22 pm

ମମତା ଯୋଜନା ସହାୟତା ରାଶି ୫୦୦୦ଟଙ୍କାରୁ ୧୦୦୦୦ ଟଙ୍କାକୁ ବୃଦ୍ଧି 

ଭୁବନେଶ୍ୱର: ରାଜ୍ୟ ସରକାର ‘ମମତା ଯୋଜନା’ର ସହାୟତା ରାଶି ୨ଗୁଣ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ମାତୃ ଓ ଶିଶୁ ଅପପୁଷ୍ଟି ହ୍ରାସ ପାଇଁ ଆରମ୍ଭ ହୋଇଥିବା ଏହି ମମତା ଯୋଜନାରେ ବର୍ତମାନ ଗର୍ଭବତୀ ମହିଳାମାନଙ୍କୁ ୨ଟି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଥିଲା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନୂଆ ନିଷ୍ପତ୍ତି ଅନୁଯାୟୀ ଏହାକୁ ୧୦ ହଜାର ଟଙ୍କା କରିଦିଆଯାଇଛି ଫଳରେ ଏହି ଯୋଜନାରେ ହିତାଧିକାରୀଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ସହାୟତା ମିଳିବ। ୨୦୨୩ ଅଗଷ୍ଟ ମାସରୁ ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ରାଶି ମିଳିବ। ଚଳିତ ଫେବ୍ରୁଆରି ମାସ ୨୦ ରୁ ୨୫ ତାରିଖ ମଧ୍ୟରେ ବକେୟା ରାଶି ହିତାଧିକାରୀମାନଙ୍କୁ ମିଳିବ।

ନୂଆ ନିଷ୍ପତ୍ତି ଅନୁଯାୟୀ ମମତା ଯୋଜନାରେ ୨ଟି କିସ୍ତିରେ ହିତାଧିକାରୀଙ୍କ ଜମା ଖାତାକୁ ସହାୟତା ରାଶି ସିଧାସଳଖ ଦିଆଯିବ। ପ୍ରଥମ କିସ୍ତିରେ (ଗର୍ଭାବସ୍ଥାର ୬ ମାସ ପରେ) ୬୦୦୦ ଟଙ୍କା ଏବଂ ଦ୍ୱିତୀୟ କିସ୍ତିରେ ଶିଶୁକୁ ଦଶମାସ ହେବା ପରେ ୪୦୦୦ ଟଙ୍କା ପ୍ରଦାନ କରାଯିବାର ବ୍ୟବସ୍ଥା ରଖାଯାଇଛି। ୧୯ ବର୍ଷରୁ ଊର୍ଦ୍ଧ୍ୱ ସବୁ ଗର୍ଭବତୀ ମହିଳା ୨ଟି ଜୀବିତ ସନ୍ତାନ ନିମନ୍ତେ ଏହି ସହାୟତା ପାଇପାରିବେ। ୧୩ଟି ନିର୍ଦ୍ଦିଷ୍ଟ ଆଦିମ ଜନଜାତି ଗୋଷ୍ଠୀର ମା’ ମାନଙ୍କୁ ପ୍ରତ୍ୟେକ ଗର୍ଭ ନିମନ୍ତେ ମମତା ସହାୟତା ରାଶି ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି।

ସୂଚନାଯୋଗ୍ୟ ଯେ ୫ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନଙ୍କ ଜିଲ୍ଲାଗସ୍ତ ସମୟରେ ବିଭିନ୍ନ ସ୍ଥାନରେ ମା’ ମାନେ ଏହି ସହାୟତା ରାଶି ବୃଦ୍ଧି କରିବା ପାଇଁ ପ୍ରସ୍ତାବ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟିକୁ ଏହା ଆସିବା ପରେ ମମତା ଯୋଜନାର ସହାୟତା ରାଶି ପରିମାଣକୁ ବୃଦ୍ଧି କରିଛନ୍ତି। ଏହି ଯୋଜନା ଆରମ୍ଭ ହେବାଠାରୁ ଏ ପର୍ଯ୍ୟନ୍ତ ୬୦ ଲକ୍ଷରୁ ଊର୍ଦ୍ଧ୍ୱ ଗର୍ଭବତୀ ଓ ପ୍ରସୂତି ମା ଉପକୃତ ହେଉଛନ୍ତି। ଏଥି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହଜାର ୯୦୦ କୋଟି ଟଙ୍କା ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯାଇଛି।