June 26, 2025 1:59 pm

ସୁବୋଧ କୁମାର ନାୟକ ଚାନ୍ଦିପୁର ପିଏକ୍ସଇର ନୂଆ ନିର୍ଦ୍ଦେଶକ

ବାଲେଶ୍ଵର: ଚାନ୍ଦିପୁର ପିଏକ୍ସଇ(ପ୍ରମାଣ ତଥା ପ୍ରାୟୋଗିକ ସ୍ଥାପନା)ର ନିର୍ଦ୍ଦେଶକ ଭାବେ ବୈଜ୍ଞାନିକ(ଜି) ସୁବୋଧ କୁମାର ନାୟକ ଯୋଗଦାନ କରିଛନ୍ତି। ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟର ପୂର୍ବତନ ଛାତ୍ର  ଶ୍ରୀ ନାୟକ ୧୯୯୧ ମସିହାରେ ଉକ୍ତ ଅନୁଷ୍ଠାନରୁ ମେକାନିକାଲ ଇଞ୍ଜିନିୟରିଂରେ ସ୍ନାତକ ସମ୍ମାନ ସହ ଉତ୍ତୀର୍ଣ୍ଣ ହୋଇଥିଲେ। ଏହା ପରେ ଭାରତୀୟ ବୈଷୟିକ ଅନୁଷ୍ଠାନ ମୁମ୍ବାଇରୁ ଏରୋସ୍ପେସ ଇଂଜିନିୟରିଂରେ ଏମ୍‌ଟେକ୍‌ ଡିଗ୍ରୀ ହାସଲ କରିଥିଲେ। ସେ ଡିଆଇଏଟି ପୁନେରୁ ଫେଲୋସିପ୍‌ ସମାପ୍ତ କରିବା ପରେ ୧୯୯୪ ସେପ୍ଟେମ୍ବର ମାସରେ ପ୍ରତିରକ୍ଷା ଅନୁସନ୍ଧାନ ଓ ବିକ‌ାଶ ସଂଗଠନ(ଡିଆରଡିଓ) ପୁନେରେ ଜଣେ ବୈଜ୍ଞାନିକ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ।

୧୯୯୪ରୁ ପିଏକ୍ସଇରେ ନିର୍ଦ୍ଦେଶକ ପଦଭାର ଗ୍ରହଣ କରିବା ପର୍ଯ୍ୟନ୍ତ ସେ ଡିଆରଡିଓର ଅନେକ ପ୍ରକଳ୍ପ କାର୍ଯ୍ୟରେ ଅନ୍ତର୍ଭୁକ୍ତ ହୋଇ ସଫଳ ହୋଇଥିଲେ। ଶ୍ରୀ ନାୟକ ହେଉଛନ୍ତି ଯୁଦ୍ଧାସ୍ତ୍ର ପଦ୍ଧତିର ପ୍ରସ୍ତୁତିକରଣ ଓ ବିକାଶ କ୍ଷେତ୍ରରେ ଅଭିଜ୍ଞ ବୈଜ୍ଞାନିକ। ସମ୍ବଲପୁର ଜିଲ୍ଲାରେ ଜନ୍ମଗ୍ରହଣ କରିଥିବା ଏଭଳି ଜଣେ ଅଭିଜ୍ଞ ବୈଜ୍ଞାନିକଙ୍କୁ ପାଇ ସମସ୍ତ ଓଡ଼ିଆ ମହଲରେ ଖୁସିର ବାତାବରଣ ଖେଳିଯାଇଛି। ସୋମବାର ପିଏକ୍ସଇର କାର୍ଯ୍ୟଭାର ଗ୍ରହଣ କରିବା ଅବସରରେ ତାଙ୍କୁ ସ୍ବାଗତ ଓ ଶୁଭେଚ୍ଛା ଜଣାଯାଇଛି।