June 26, 2025 7:18 pm

ମୋକିମ,ଚିରଞ୍ଜୀବ ଓ କୃଷ୍ଣଚନ୍ଦ୍ର ଶଗରିଆଙ୍କ ଉପରୁ  ହଟିଲା ନିଲମ୍ବନ

ଭୁବନେଶ୍ଵର: : ୨୪ ନିର୍ବାଚନ ପୂର୍ବରୁ ଦଳକୁ ମଜବୁତ କରିବା ଉଦ୍ଧେଶ୍ୟରେ ଓଡିଶା କଂଗ୍ରେସ  ତାର ଘର ସଜାଡିବାରେ ବ୍ୟସ୍ତ । ନୂଆ  କଂଗ୍ରେସ ପ୍ରଭାରି ଅଜୟ କୁମାର ଯୋଗ ଦେବାପରେ ଦଳରୁ ଦୂରେଇ ରହିଥିବା ନେତା କେମିତି ଘର ବାହୁଡ଼ା କରିବେ ସେନେଇ ମାନସମନ୍ଥନ କରିବା ପରେ ଗୁରୁତ୍ବପୂର୍ଣ ପଦକ୍ଷେପ ନେଉଛି ହାତ ଦଳ । ଆଜି  ସେଇଥି ପାଇଁ ତ ଆଜି କଂଗ୍ରେସରୁ ନିଲମ୍ବନ ହୋଇଥିବା ତିନି ହେଭିୱେଟ୍‌ ନେତାଙ୍କ ଉପରୁ ଉଠିଛି ନିଲମ୍ବନ ।  ଯାହାକୁ ନେଇ ମୋକିମ-ଚିରଞ୍ଜୀବ ଓ କୃଷ୍ଣଚନ୍ଦ୍ରଙ୍କ କ୍ୟାମ୍ପରେ ଖୁସିର ମାହୋଲ ।

ଗତକାଲି କଂଗ୍ରେସ ପ୍ରଭାରୀ ଅଜୟ କୁମାରଙ୍କୁ ଭେଟିଥିଲେ ଚିରଞ୍ଜୀବି । ଆଉ ଆଜି ହଟିଲା ନିଲମ୍ବନ । ୨୦୨୪ ନିର୍ବାଚନକୁ ଆଉ ୩  ମାସ ସମୟ ବାକି । ସବୁ ଦଳ ଅଙ୍କ କଷିବା ଆରମ୍ଭ କରିଦେଇଛନ୍ତି । ଆଉ ଏହାରି ଭିତରେ କଂଗ୍ରେସ ପ୍ରଭାରୀଙ୍କୁ ଭେଟିବା ପରେ ଆଜି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ ଓ ବରିଷ୍ଠ ନେତା ଚିରଞ୍ଜୀବ ବିଶ୍ୱାଳଙ୍କ ଉପରୁ ହଟିଛି ନିଲମ୍ବନ । ଖାଲି ଏହି ଦୁଇ ଜଣ ନୁହନ୍ତି ବରଂ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ଉପରୁ ମଧ୍ୟ ନିଲମ୍ବନ ହଟିଛି ।

ଏନେଇ ପ୍ରଭାରୀ ଅଜୟ କୁମାର ସୂଚନା ଦେଇଛନ୍ତି । ଦଳ ବିରୋଧୀ କାର୍ଯ୍ୟକ୍ରମ ପାଇଁ ଗତ ଜୁଲାଇ ୧୫ ତାରିଖରେ କଂଗ୍ରେସର କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ ଏବଂ ପୂର୍ବତନ ବିଧାୟକ ଚିରଞ୍ଜୀବ ବିଶ୍ଵାଳଙ୍କୁ ଦଳରୁ ନିଲମ୍ବିତ କରିଥିଲା ଏଆଇସିସି ଶୃଙ୍ଖଳା କମିଟି । ଉଭୟଙ୍କ ନାଁରେ ଦଳ ବିରୋଧୀ କାର୍ଯ୍ୟ ନେଇ ଅଭିଯୋଗ ହୋଇଥିଲା । ଉଭୟଙ୍କ କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି ହୋଇଥିଲା । ହେଲେ ସନ୍ତୋଷଜନକ ଉତ୍ତର ଦେଇ ନପାରିବାରୁ ଉଭୟଙ୍କୁ ନିଲମ୍ବିତ କରାଯାଇଥିଲା । ଯାହାକୁ ନେଇ ପୁରା ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।  ଏବେ ଦେଖିବାକୁ ବାକି ରହିଲା କଂଗ୍ରେସରୁ ବହିଷ୍କୃତ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ  ଜେନାଙ୍କୁ ଦଳକୁ ଫେରାଇଅଣାଯାଉଛି ନା ନାହିଁ? କିନ୍ତୁ ଯାହା ଶୁଣିବାକୁ ମିଳୁଛି ତାଙ୍କୁ ଫେରାଇ ଆଣିବାକୁ ପଟ୍ଟନାୟକ କ୍ୟାମ୍ପର ବିଶେଷ ସମର୍ଥନ ଦରକାର। ଏହା  ମିଳିବା  ଆଦୌ ସହଜ ନୁହେଁ ବୋଲି  ଜାଣିବା ଶୁଣିବା ମହଲରେ ଚର୍ଚା ହେଉଛି।