ଓଡିଶାରୁ ଅଧିକ ଉଷୁନା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର ପ୍ରଧାନ 

ଭୁବନେଶ୍ଵର: ଚଳିତ ଖରିଫ୍ ବିପଣନ ଋତୁରେ ଓଡ଼ିଶାରୁ ଅଧିକ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଭାରତୀୟ ଖାଦ୍ୟ ନିଗମ(ଏଫସିଆଇ)କୁ ନିର୍ଦ୍ଦେଶ ଦେବା ପାଇଁ କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଣ୍ଟନ ମନ୍ତ୍ରୀ ପିୟୂଷ ଗୋୟଲଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । 

ଶ୍ରୀ ପ୍ରଧାନ ପତ୍ରରେ ଉଲ୍ଲେଖ କରିଛନ୍ତି ଯେ ଦେଶରେ ଧାନ ଉତ୍ପାଦନ କରିବାରେ ଓଡ଼ିଶା ହେଉଛି ଚତୁର୍ଥ ବୃହତ୍ତମ ରାଜ୍ୟ । ଖରିଫ ବିପଣନ ଋତୁ ୨୦୨୩-୨୪ ରେ ଧାନ ସଂଗ୍ରହ ଆରମ୍ଭ ହୋଇସାରିଛି । ଚଳିତ ଥର ଓଡ଼ିଶାରେ ଭଲ ଅମଳ ହୋଇଥିବା କାରଣରୁ ରାଜ୍ୟରୁ ମୋଟ ପ୍ରାୟ ୭୯ ଲକ୍ଷ ମେଟ୍ରିକ ଟନ୍ ଖରିଫ ଚାଉଳ ସଂଗ୍ରହ କରାଯିବା ନେଇ ଆକଳନ କରାଯାଇଛି । ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମଏସପି ସାହାଯ୍ୟରେ ଓଡ଼ିଶାର ଲକ୍ଷାଧିକ ଚାଷୀମାନେ ଧାନ ସଂଗ୍ରହ ମାଧ୍ୟମରେ ଭଲ ଲାଭ ପାଇବା ନେଇ ଆଶା ରଖିଛନ୍ତି । ପ୍ରାରମ୍ଭିକ ଆବଣ୍ଟନରେ କେନ୍ଦ୍ର ସରକାର ୨୦୨୩-୨୪ ଖରିଫ ବିପଣନ ଋତୁରେ ୪୪.୨୮ ଲକ୍ଷ ମେଟ୍ରିନ ଟନ୍ ଚାଉଳ କିଣିବା ନେଇ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ତେବେ ଏନ୍ଏଫ୍ଏସ୍ଏ, ଏସଏଫଏସଏ ଏବଂ ଅନ୍ୟାନ୍ୟ କଲ୍ୟାଣମୂଳକ ଯୋଜନା ପାଇଁ ଓଡ଼ିଶା ସରକାରଙ୍କ ନିଜସ୍ୱ ଚାଉଳର ଆବଶ୍ୟକତା ପୂରଣ କରିବା ବ୍ୟତୀତ ପର୍ଯ୍ୟାପ୍ତ ପରିମାଣର ଉଷୁନା ଚାଉଳ ବଳକା ରହିଯାଇପାରେ । ଏହି ବଳକା ଚାଉଳ ଏଫସିଆଇ ଦ୍ୱାରା  ଉଠାଣ ହେବାର ଆବଶ୍ୟକତା ରହିଛି । 


ଓଡ଼ିଶାରୁ ୨୦୨୩-୨୪ ଖରିଫ ବିପଣନ ଋତୁରେ ଓଡ଼ିଶାରୁ ଅତିରିକ୍ତ ୧୦ ଲକ୍ଷ ମେଟ୍ରିକ୍ ଟନ ଉଷୁନା ଚାଉଳ ସଂଗ୍ରହ କରିବା ପାଇଁ ଏଫସିଆଇକୁ ନିର୍ଦ୍ଦେଶ ଦେବା ପାଇଁ ବିଭାଗୀୟ ମନ୍ତ୍ରୀ ଶ୍ରୀ ଗୋୟଲଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ଓଡ଼ିଶାର ଚାଷୀଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବା ପାଇଁ ଏହି ପଦକ୍ଷେପ ବିଶେଷ ସହାୟକ ହେବ । ବିଶେଷ ଭାବରେ ଯେଉଁମାନେ ଧାନ ଚାଷରେ ନିର୍ଭରଶୀଳ, ଏହା ଦ୍ୱାରା ସେମାନେ ଉପକୃତ ହୋଇପାରିବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।